କଲ୍ୟାଣସିଂହପୁର ଥାନାରେ ସଚେତନତା ସଭା: ଗୁଜବ ଓ ‘ମବ୍ ଲିଞ୍ଚିଂ’ରୁ ନିବୃତ୍ତ ରହିବାକୁ ପୋଲିସର ଆହ୍ୱାନ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ପରିସରରେ ଆଇନଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ (ଆଇଆଇସି) ଅଜିତ ପରିଡ଼ାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ ୨୦ରୁ ୩୦ ଜଣ ପ୍ରମୁଖ ସ୍ଥାନୀୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ।
କଲ୍ୟାଣସିଂହପୁର, ୩୧/୭ (ଓ-ଖବର)- ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ପରିସରରେ ଆଇନଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଅଜିତ ପରିଡ଼ାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ ୨୦ରୁ ୩୦ ଜଣ ପ୍ରମୁଖ ସ୍ଥାନୀୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ।
କୌଣସି ପରିସ୍ଥିତିରେ ଆଇନକୁ ନିଜ ହାତକୁ ନ ନେବା ପାଇଁ ଏହି ସଭାରେ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷକରି ସାମାଜିକ ଗଣମାଧ୍ୟମ କିମ୍ବା ମୋବାଇଲ୍ ମାଧ୍ୟମରେ ପ୍ରସାରିତ ଅପ୍ରମାଣିତ ଗୁଜବରେ ବିଶ୍ୱାସ ନ କରିବାକୁ ଏବଂ କୌଣସି ବେଆଇନ କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ଆହ୍ୱାନ କରାଯାଇଛି। ଭିଡ଼ ହିଂସା କିମ୍ବା ମବ୍ ଲିଞ୍ଚିଂ ଭଳି ଘଟଣାର ଗମ୍ଭୀର ଆଇନଗତ ପରିଣାମ ସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ପରିଡ଼ା ଉପସ୍ଥିତ ଲୋକଙ୍କୁ ସତର୍କ କରାଇଥିଲେ।
ଏହା ସହିତ ଅଞ୍ଚଳରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ବେଆଇନ କାର୍ଯ୍ୟକଳାପ ନଜରକୁ ଆସିଲେ, ନିଜେ କାର୍ଯ୍ୟାନୁଷ୍ଠାନ ନ ନେଇ ତୁରନ୍ତ ନିକଟସ୍ଥ ଥାନା କିମ୍ବା ପୋଲିସ୍ କଣ୍ଟ୍ରୋଲ୍ ରୁମ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଏହି ଅବସରରେ ସାମ୍ପ୍ରତିକ ସମୟରେ ବୃଦ୍ଧି ପାଉଥିବା ଅନ୍ଧବିଶ୍ୱାସ, ସାଇବର ଅପରାଧ ଏବଂ ମୋଟରଯାନ ନିୟମାବଳୀ ଓ ଟ୍ରାଫିକ ସଚେତନତା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରହିପାରିବ ବୋଲି ମତପ୍ରକାଶ ପାଇଥିଲା।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
