ବିଦ୍ୟାଳୟରେ ଛାତ୍ର ଗୋଷ୍ଠୀ ସଂଘର୍ଷ; କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣ ବାହାରେ ପରିସ୍ଥିତି

ବିଷମକଟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। ଛାତ୍ରଙ୍କ ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଓ ଗଣ୍ଡଗୋଳରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି। ଏହି ଘଟଣା ବର୍ତ୍ତମାନ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣ ସୀମାରେଖା ବାହାରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି।
ବିଷମକଟକ,୩୧/୭(ଓ-ଖବର)- ବିଷମକଟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। ଛାତ୍ରଙ୍କ ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଓ ଗଣ୍ଡଗୋଳରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି। ଏହି ଘଟଣା ବର୍ତ୍ତମାନ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣ ସୀମାରେଖା ବାହାରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, କିଛି ଅସାମାଜିକ ତତ୍ତ୍ୱଙ୍କ ପ୍ରରୋଚନାରେ ଆସି ବିଶୃଙ୍ଖଳିତ ଛାତ୍ରମାନେ ନିୟମିତ ବ୍ୟବଧାନରେ ବିଦ୍ୟାଳୟ ପରିସର ଭିତରେ ଓ ବାହାରେ ଅନ୍ୟ ଛାତ୍ରଙ୍କୁ ଆକ୍ରମଣ କରୁଥିବାର ନଜିର ରହିଆସୁଛି। ଆଜି ବିଦ୍ୟାଳୟରେ ଏକ 'ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ' ଶେଷ ହେବା ପରେ ମଧ୍ୟାହ୍ନ ଛୁଟିରେ ଯାଉଥିବା ସମୟରେ କିଛି ଛାତ୍ର ବିଦ୍ୟାଳୟ ପରିସର ବାହାରେ ଅନ୍ୟ ଛାତ୍ରଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ୩ ଜଣ ଛାତ୍ର ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ମୁଣ୍ଡ ଫାଟି ଯାଇଛି। ରକ୍ତଜୁଡୁବୁଡୁ ଅବସ୍ଥାରେ ଅନ୍ୟ ସହପାଠୀମାନେ ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ଭର୍ତ୍ତି କରିଥିଲେ। ଖବର ପାଇ ବିଷମକଟକ ପୋଲିସ ଡାକ୍ତରଖାନାରେ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରିବା ସହ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିଛି।
ଏହି ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦୀପ ପ୍ରତିକ୍ରିୟା ରଖି କହିଛନ୍ତି ଯେ, "କିଛି ଛାତ୍ର ନିୟମିତ ଭାବେ ନିଶା ସେବନ ଭଳି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ବିଦ୍ୟାଳୟକୁ ଆସୁଛନ୍ତି ଏବଂ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସେମାନେ ନିଜେ ପଢ଼ୁନାହାନ୍ତି କି ଅନ୍ୟମାନଙ୍କୁ ପଢ଼ିବାକୁ ଦେଉନାହାନ୍ତି। ଅଭିଭାବକମାନଙ୍କୁ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଦ୍ୟାଳୟ ଏକ ଦଣ୍ଡମୁକ୍ତ ଅଞ୍ଚଳ (Punishment-free zone) ହୋଇଥିବାରୁ ଛାତ୍ରଙ୍କୁ ଦଣ୍ଡ ଦେବାର ପ୍ରାବଧାନ ନାହିଁ, ଯାହା ଫଳରେ ବିଶୃଙ୍ଖଳିତ ଛାତ୍ରଙ୍କ ବିରୋଧରେ କୌଣସି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନାହିଁ।
ଏଭଳି ଅଶାନ୍ତ ପରିବେଶ ଯୋଗୁଁ ସାଧାରଣ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେବା ସହ ସେମାନେ ବିଦ୍ୟାଳୟ ଆସିବାକୁ ଭୟଭୀତ ହେଉଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ ବିଦ୍ୟାଳୟରେ ଶାନ୍ତ ଓ ସୁସ୍ଥ ପରିବେଶ ଫେରାଇ ଆଣିବା ସହ ବିଶୃଙ୍ଖଳିତ ଛାତ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି। ଅନ୍ୟପଟେ ଘଟଣା ଏପର୍ଯ୍ୟନ୍ତ ଶାନ୍ତ ପଡ଼ିନଥିବାରୁ ଆସନ୍ତାକାଲି ଏହା ଉଗ୍ର ରୂପ ନେଇପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
