୪୦.୯୪ ଲକ୍ଷ ଟଙ୍କା ହେରଫେର ମାମଲାରେ ବେତନଟୀ ଲ୍ୟାମ୍ପସର ପୂର୍ବତନ ଏମଡିଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ

ଦୁର୍ନୀତି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଲ୍ୟାମ୍ପସ୍ର (LAMPCS Ltd.) ପୂର୍ବତନ ପରିଚାଳନା ନିର୍ଦ୍ଦେଶକ (MD) ଶ୍ରୀ ହିମାଂଶୁ ଦାସଙ୍କୁ ୪୦ ଲକ୍ଷ ୯୪ ହଜାର ଟଙ୍କା ଆତ୍ମସାତ ମାମଲାରେ ଆଜି ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ବାରିପଦା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି।
ମୟୂରଭଞ୍ଜ,୩୧/୭(ଓ-ଖବର)-୨୦୧୭-୧୮ ଆର୍ଥିକ ବର୍ଷରେ ବେତନଟୀ ଲ୍ୟାମ୍ପସ୍ରେ ହୋଇଥିବା ଏହି ବଡ଼ ଧରଣର ଆର୍ଥିକ ଅନିୟମିତତା ନେଇ ଭିଜିଲାନ୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଶ୍ରୀ ହିମାଂଶୁ ଦାସ ଏମଡି ଭାବରେ କାର୍ଯ୍ୟ କରୁଥିବା ସମୟରେ ସ୍ଥାନୀୟ ଚାଷୀମାନଙ୍କଠାରୁ କୃଷି ଓ ଫସଲ ଋଣ ପରିଶୋଧ, ସଦସ୍ୟ ଶେୟାର କ୍ୟାପିଟାଲ୍ ଅଂଶଦାନ, ଆବେଦନ ଫର୍ମ ଫି ଏବଂ ପ୍ରଶାସନିକ ଶୁଳ୍କ ବାବଦରେ ବିପୁଳ ଅର୍ଥ ଆଦାୟ କରିଥିଲେ।
ଟଙ୍କା ନେଇ ଚାଷୀମାନଙ୍କୁ ରସିଦ ଦେଇଥିଲେ ମଧ୍ୟ ସେହି ଆଦାୟ ଅର୍ଥକୁ ସୋସାଇଟିର ଆକାଉଣ୍ଟରେ ଜମା କରିନଥିଲେ। ଏପରିକି ବେତନଟୀ ଲ୍ୟାମ୍ପସ୍ର ସରକାରୀ ଡେ’ ବୁକ୍ରେ (Day Book) ଏହି କାରବାର ସମ୍ପର୍କରେ ଉଲ୍ଲେଖ ନକରି ନିଜ ବ୍ୟକ୍ତିଗତ ସ୍ୱାର୍ଥରେ ସେ ମୋଟ ୪୦,୯୪,୩୦୬ ଟଙ୍କା ହେରଫେର କରିଥିଲେ।
ଏହି ମାମଲାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୨, ତା. ୩୦.୦୭.୨୦୨୬ ଅନୁଯାୟୀ ଭ୍ରଷ୍ଟାଚାର ନିବାରଣ ଆଇନ (P.C. Act-1988) ଏବଂ ଭାରତୀୟ ଦଣ୍ଡ ସଂହିତା (IPC) ର ଧାରା ୪୦୯ରେ ଏକ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଶ୍ରୀ ହିମାଂଶୁ ଦାସଙ୍କୁ ଗତ ୦୪.୦୪.୨୦୨୨ ମସିହାରୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇସାରିଛି। ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
