Odisha Public Khabar
Odisha Public Khabar
ରାଜ୍ୟ

ନେଟୱର୍କ ସମସ୍ୟା ନେଲା ଜୀବନ: ୩ ଦିନ ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ, ରାୟଗଡ଼ାରେ ରୋଗୀଙ୍କ ମୃତ୍ୟୁ

O-Khabar Admin
Odisha
Share:
ନେଟୱର୍କ ସମସ୍ୟା ନେଲା ଜୀବନ: ୩ ଦିନ ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ, ରାୟଗଡ଼ାରେ ରୋଗୀଙ୍କ ମୃତ୍ୟୁ

ରାୟଗଡ଼ା ଜିଲ୍ଲା ପିପଲଗୁଡା ପଞ୍ଚାୟତରେ ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ଠିକ୍ ସମୟରେ ଆମ୍ବୁଲାନ୍ସ ନ ମିଳିବାରୁ ନାରଦ ମଣ୍ଡାଙ୍ଗି ନାମକ ଜଣେ ୫୯ ବର୍ଷୀୟ ରୋଗୀଙ୍କ ମୃତ୍ୟୁ ହୋଇଛି। ତିନି ଦିନ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜରୁରୀ ସେବା ପାଇଁ ଅଞ୍ଚଳବାସୀଙ୍କୁ ୩ କି.ମି. ଦୂରକୁ ଯିବାକୁ ପଡୁଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ରାୟଗଡ଼ା,୨୫/୮(ଓ-ଖବର)- ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାୟଗଡ଼ା ସଦର ବ୍ଲକ ପିପଲଗୁଡା ପଞ୍ଚାୟତବାସୀ। ଅଞ୍ଚଳରେ ଓଡ଼ିଶାର ମୋବାଇଲ ନେଟୱର୍କ ଠିକ୍ ଭାବେ ମିଳୁନଥିବାରୁ ଅନେକ ସମୟରେ ଜରୁରୀକାଳୀନ ନମ୍ବରକୁ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହେଉନାହିଁ। ଫଳରେ ଆମ୍ବୁଲାନ୍ସ, ବିଦ୍ୟୁତ ଓ ଅନ୍ୟାନ୍ୟ ସରକାରୀ ସେବା ପାଇବାରେ ଲୋକେ ସମସ୍ୟା ଭୋଗୁଛନ୍ତି।

ପିପଲଗୁଡା ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂର ପେନିକଣା ଠାରେ ଜିଓ ଟାୱାର ରହିଛି। ତେବେ ଏହି ଟାୱାରରେ ମଧ୍ୟ ନେଟୱର୍କ ସମସ୍ୟା ରହୁଥିବାରୁ ପିପଲଗୁଡା ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳର ଟାୱାର ନେଟୱର୍କ ସିଗନାଲ ମିଳୁଥିବା ଅଞ୍ଚଳବାସୀ କହିଛନ୍ତି। ଏପରି ସ୍ଥିତିରେ ଓଡ଼ିଶା ସରକାରଙ୍କ ବିଭିନ୍ନ ସେବାର ନମ୍ବରକୁ ଫୋନ କଲେ ତେଲୁଗୁ ଭାଷାରେ ଉତ୍ତର ମିଳୁଥିବାରୁ ଲୋକେ ଅସୁବିଧାରେ ପଡୁଛନ୍ତି।

ବିଶେଷକରି ଜରୁରୀ ସମୟରେ ୧୦୮ ଆମ୍ବୁଲାନ୍ସ ସେବା ପାଇବାରେ ଏହି ସମସ୍ୟା ଅଧିକ ଗୁରୁତର ହେଉଛି। ଗାଁରେ ଓଡ଼ିଶାର ନେଟୱର୍କ ମିଳୁନଥିବାରୁ ପ୍ରାୟ ଦୁଇରୁ ତିନି କିଲୋମିଟର ଦୂର କୋଶପଡୁ, କାରୁବାଇ ନିକଟକୁ ଯାଇ ଓଡ଼ିଶା ନେଟୱର୍କ ମିଳୁଥିବା ଜିଓ ଟାୱାର ରେଞ୍ଜରୁ ଫୋନ କରିବାକୁ ପଡୁଥିବା ଅଭିଯୋଗ ହୋଇଛି।

ଏହି ନେଟୱର୍କ ସମସ୍ୟାର ଏକ ଜ୍ୱଳନ୍ତ ଉଦାହରଣ ପିପଲଗୁଡା ସଦର ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ୫୯ ବର୍ଷୀୟ ନାରଦ ମଣ୍ଡାଙ୍ଗି ଗତ ସପ୍ତାହରେ ଅସୁସ୍ଥ ହେବାରୁ ନିକଟସ୍ଥ ଜାଙ୍ଗିଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ପରେ ଔଷଧ ଖାଉଥିବା ବେଳେ ତିନି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡିଥିଲା। ପରିବାର ଲୋକେ ଦିନ ଓ ରାତିରେ ଲଗାଣ ବର୍ଷା ମଧ୍ୟରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ତେବେ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କୁହାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ତିନି ଦିନ ପରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ନାରଦଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ନାରଦଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।

ଏହି ଘଟଣା ପରେ ପିପଲଗୁଡା ଅଞ୍ଚଳରେ ନେଟୱର୍କ ସମସ୍ୟାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ମୃତକଙ୍କ ସମ୍ପର୍କୀୟ ତଥା ରାୟଗଡ଼ା ବ୍ଲକ ବିଧାୟକ ପ୍ରତିନିଧି ସତ୍ୟବାନ ମଣ୍ଡାଙ୍ଗି ଏନେଇ ସରକାରୀ ବ୍ୟବସ୍ଥାକୁ ନିନ୍ଦା କରିଛନ୍ତି। ଦୀର୍ଘଦିନ ଧରି ଅଞ୍ଚଳର ନେଟୱର୍କ ସମସ୍ୟାର ସମାଧାନ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ସେ ଅଭିଯୋଗ କରିଛନ୍ତି।

ସତ୍ୟବାନଙ୍କ କହିବା ଅନୁସାରେ, ସେ ନିଜ ମୋବାଇଲରୁ ମଧ୍ୟ ଅନେକଥର ୧୦୮ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ। ତଥାପି ଆମ୍ବୁଲାନ୍ସ ଉପଲବ୍ଧ ନଥିବା କୁହାଯାଇଥିବା ସେ ଦାବି କରିଛନ୍ତି। ପିପଲଗୁଡା ପଞ୍ଚାୟତରେ ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ ସହ ଓଡ଼ିଶାର ନେଟୱର୍କ ଉପଲବ୍ଧ କରାଇବା ଏବଂ ଜରୁରୀକାଳୀନ ସେବାଗୁଡିକ ଯେପରି ନିର୍ବିଘ୍ନରେ ମିଳିପାରିବ, ସେନେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ