ଓଡ଼ିଶା-ଆନ୍ଧ୍ର ସୀମାନ୍ତ ରାୟଗଡ଼ାରେ ୮ ଟିକିଆ ହାତୀପଲଙ୍କ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ, ଆତଙ୍କିତ ସୀମାନ୍ତବାସୀ

ଆନ୍ଧ୍ରପ୍ରଦେଶର ବୀରଗୋଟମ୍ ସଂରକ୍ଷିତ ଜଙ୍ଗଲରୁ ନାଗାବଳୀ ନଦୀ ପାର ହୋଇ ରାୟଗଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ଏକ ୮ ଟିକିଆ ହାତୀପଲ ପ୍ରବେଶ କରିଛନ୍ତି। ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବା ସହ ଉଭୟ ରାଜ୍ୟର ବନ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ ଜାରି ରହିଛି।
ରାୟଗଡ଼ା:
ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ରାୟଗଡ଼ା ଜିଲ୍ଲାରେ ପୁଣି ଦେଖାଦେଇଛି ହାତୀ ଆତଙ୍କ। ଆନ୍ଧ୍ରପ୍ରଦେଶର ବୀରଗୋଟମ୍ ସଂରକ୍ଷିତ ଜଙ୍ଗଲରୁ ଏକ ୮ ଟିକିଆ ହାତୀପଲ ଓଡ଼ିଶା ସୀମାନ୍ତ ଗାଁ ମୁହାଁ ହୋଇଛନ୍ତି। ରାୟଗଡ଼ା ବ୍ଲକର ଏମ୍ପଲବାଲସା, କେରେଡା, ଅଣିଜା, ପୁଡେଶୁ ଏବଂ ବୋରୁହାଲୁଆ ଆଦି ଗ୍ରାମ ନିକଟରେ ହାତୀପଲ ଚଲାବୁଲା କରୁଥିବା ଦେଖିବାକୁ ମିଳିଛି।
ଆଜି ଭୋର ସମୟରେ ଏହି ହାତୀପଲ କୋମରଡା ଓ କୋଟୁ ଗାଁ ପାର ହୋଇ ନାଗାବଳୀ ନଦୀ କୂଳେ କୂଳେ ଓଡ଼ିଶା ସୀମାକୁ ପ୍ରବେଶ କରିଥିଲେ। ସେମାନେ ନଦୀରେ ଜଳକ୍ରୀଡ଼ା କରିବା ସହିତ ଖାଦ୍ୟ ଅନ୍ୱେଷଣରେ ଆଖପାଖ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ତୀବ୍ର ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟର ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ଯୁଗ୍ମ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ଯେକୌଣସି ଅଘଟଣ ଓ ବିଦ୍ୟୁତ ଆଘାତକୁ ଏଡ଼ାଇବା ପାଇଁ ପ୍ରଭାବିତ ଗାଁଗୁଡ଼ିକରେ ସତର୍କତାମୂଳକ ଭାବେ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଛି।
ରାୟଗଡ଼ା ରେଞ୍ଜର ଅନିଲ୍ ପାଣିଗ୍ରାହୀଙ୍କ ସୂଚନା:
"ହାତୀପଲଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ଟିମ୍ ନିୟୋଜିତ ଅଛନ୍ତି। ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ଏବଂ ହାତୀଙ୍କ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି।"
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
