Odisha Public Khabar
Odisha Public Khabar
ଫୁରସତ

ଓଡ଼ିଶାକୁ ବଡ଼ ଭୂମିକମ୍ପ ବିପଦ! ବଙ୍ଗୋପସାଗରରେ ବଢୁଛି ଚାପ, ଆଇଆଇଟି ଖଡ଼ଗପୁରର ଚେତାବନୀ

O-Khabar Admin
Odisha
Share:
ଓଡ଼ିଶାକୁ ବଡ଼ ଭୂମିକମ୍ପ ବିପଦ! ବଙ୍ଗୋପସାଗରରେ ବଢୁଛି ଚାପ, ଆଇଆଇଟି ଖଡ଼ଗପୁରର ଚେତାବନୀ

ଆଇଆଇଟି ଖଡ଼ଗପୁରର ଏକ ନୂଆ ଗବେଷଣା ରିପୋର୍ଟ ଅନୁସାରେ, ବଙ୍ଗୋପସାଗରରେ ଟେକ୍ଟୋନିକ୍ ଚାପ ଏବଂ ପ୍ରଚୁର ପଟୁମାଟି ଜମା ହେବା କାରଣରୁ ଭବିଷ୍ୟତରେ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ୬ ରୁ ୭ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହେବାର ଆଶଙ୍କା ରହିଛି।

ଓଡ଼ିଶା ଉପକୂଳକୁ ଘାରିଛି ବଡ଼ ଭୂମିକମ୍ପର ଭୟ। ଗତ ୧୨ ବର୍ଷ ମଧ୍ୟରେ ୨୦୧୪ ଏବଂ ୨୦୨୫ ରେ ଦୁଇଟି ଭୂକମ୍ପ ଝଟକା ରାଜ୍ୟବାସୀଙ୍କୁ ଭୟଭୀତ କରିଥିବା ବେଳେ, ଆଗକୁ ଆହୁରି ବଡ଼ ବିପଦ ଆସିବାର ଆଶଙ୍କା ରହିଛି। ବଙ୍ଗୋପସାଗରରେ ଦେଖାଦେଇଥିବା ଅସ୍ୱାଭାବିକ ଭୂ-ତାତ୍ତ୍ୱିକ ପରିବର୍ତ୍ତନ ଯୋଗୁଁ ୬ ରୁ ୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇପାରେ ବୋଲି ଆଇଆଇଟି (IIT) ଖଡ଼ଗପୁରର ଏକ ଗବେଷଣା ରିପୋର୍ଟରୁ ଜଣାପଡିଛି।

ଆଇଆଇଟି ଖଡ଼ଗପୁରର ପ୍ରଫେସର ମହମ୍ମଦ ଶାହାବୁଦ୍ଦିନ, ପ୍ରିୟଙ୍କ ପାଠକ ଏବଂ ୱିଲିୟମ କୁମାର ମହାନ୍ତିଙ୍କୁ ନେଇ ଗଠିତ ଗବେଷକ ଟିମ୍ ବଙ୍ଗୋପସାଗରର ଆଭ୍ୟନ୍ତରୀଣ ସ୍ଥିତି ଉପରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ବଙ୍ଗୋପସାଗର ଆଗାମୀ ଦିନରେ ଏକ ପ୍ରମୁଖ 'ସେସମିକ୍ ହଟସ୍ପଟ୍' ପାଲଟିପାରେ। ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ଉତ୍ତର-ପୂର୍ବ ଦିଗକୁ ଗତି କରୁଥିବାରୁ ସମୁଦ୍ର ତଳେ ଥିବା ପୁରୁଣା ଫାଟଗୁଡ଼ିକ ଉପରେ ପ୍ରବଳ ଚାପ ପଡୁଛି। ଗଭୀର ସମୁଦ୍ରରେ ବି-ଭାଲ୍ୟୁ (b-value) ମାତ୍ର ୦.୭୨ ରହୁଛି, ଯାହାର ଅର୍ଥ ହେଉଛି ଭୂଗର୍ଭସ୍ଥ ଚାପ ମୁକ୍ତ ହୋଇପାରୁନାହିଁ।

ଏହା ସହିତ ଗଙ୍ଗା, ବ୍ରହ୍ମପୁତ୍ର ଓ ମହାନଦୀ ଭଳି ବିଭିନ୍ନ ନଦୀରୁ ବୁହାହୋଇ ଆସୁଥିବା ପଟୁମାଟି ସମୁଦ୍ର ଗର୍ଭରେ ପ୍ରାୟ ୧୩ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଜମାଟ ବାନ୍ଧିଲାଣି। ଏହି ଅତ୍ୟଧିକ ଓଜନ ଏବଂ ଭୂ-ତାତ୍ତ୍ୱିକ ଚାପ ଯୋଗୁଁ ଦୀର୍ଘ ବର୍ଷ ଧରି ସୁପ୍ତ ଥିବା ଦୁର୍ବଳ ଫାଟଗୁଡ଼ିକ ଉପରେ ଗଭୀର ପ୍ରଭାବ ପଡୁଛି। ଏହି ଅଟକି ରହିଥିବା ଚାପ ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରକ ରୂପ ନେଇ ଭୂକମ୍ପ ସୃଷ୍ଟି କରିପାରେ। ଯାହାଫଳରେ ଉପକୂଳ ଓଡ଼ିଶା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ବହୁଳ ଭାବରେ ପ୍ରଭାବିତ ହେବାର ଆଶଙ୍କା ଥିବା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ