Odisha Public Khabar
Odisha Public Khabar
ରାଜ୍ୟ

ରାଜ୍ୟରେ ଆଇନଶୃଙ୍ଖଳା ଓ ଆଗାମୀ ପାର୍ବଣ ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ: ସାଇବର ଥାନାର ସମୀକ୍ଷା ଓ ଉତ୍ତମ ପୋଲିସ ସେବା ଉପରେ ଗୁରୁତ୍ୱ

O-Khabar Admin
Odisha
Share:
ରାଜ୍ୟରେ ଆଇନଶୃଙ୍ଖଳା ଓ ଆଗାମୀ ପାର୍ବଣ ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ: ସାଇବର ଥାନାର ସମୀକ୍ଷା ଓ ଉତ୍ତମ ପୋଲିସ ସେବା ଉପରେ ଗୁରୁତ୍ୱ

ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପି ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଇନଶୃଙ୍ଖଳା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପାର୍ବଣ ଋତୁକୁ ଶାନ୍ତିଶୃଙ୍ଖଳାର ସହ ପାଳନ, ସୋସିଆଲ୍ ମିଡିଆରେ ଗୁଜବ ରୋକିବା, ସାଇବର ଅପରାଧ ନିୟନ୍ତ୍ରଣ ଏବଂ ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ଡିଜିପି ସମସ୍ତ ଏସ୍‌ପି ଓ ଆଇଜି/ଡିଆଇଜିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଟକ (୨୧/୮(ଓ-ଖବର)- ରାଜ୍ୟରେ ବର୍ତ୍ତମାନର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍‌ପିମାନେ ଯୋଗଦେଇଥିଲେ। ବୈଠକରେ ମୁଖ୍ୟତଃ ଅପରାଧ ଦମନ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ଏବଂ ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ପ୍ରଦାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ ନାଗରିକଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣିବା ସହ ସେମାନଙ୍କ ପ୍ରତି ସମ୍ମାନଜନକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗର ତୁରନ୍ତ ତଥା ନିରପେକ୍ଷ ତଦନ୍ତ ନିଶ୍ଚିତ କରିବା ଏବଂ ଏସ୍‌ଡିପିଓମାନେ ନିୟମିତ ଭାବେ ଥାନାଗୁଡ଼ିକ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିବାକୁ ସେ କଡ଼ା ତାଗିଦ୍ କରିଛନ୍ତି।

ଆଗାମୀ ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ଜନ୍ମାଷ୍ଟମୀ, ଗଣେଶ ପୂଜା, ନୂଆଖାଇ, ଦୁର୍ଗାପୂଜା, ଦୀପାବଳି ଏବଂ ବାଲିଯାତ୍ରା ସମେତ ଅନେକ ବଡ଼ ପର୍ବପର୍ବାଣୀ ରହିଛି। ଏହି ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ, ଟ୍ରାଫିକ ପରିଚାଳନା ଓ ଶାନ୍ତି କମିଟି ବୈଠକ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସାମ୍ପ୍ରଦାୟିକ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଗୁଇନ୍ଦା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ସାଇବର ତଦାରଖ:

ବେଆଇନ ଗୋରୁ ଚାଲାଣ, ବେଆଇନ ବାଣ ପ୍ରସ୍ତୁତି ଓ ଖଣିଜ ଲୁଟ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଗୁଜବ ଓ ଆପତ୍ତିଜନକ ପୋଷ୍ଟ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ସାଇବର ଥାନାର କାର୍ଯ୍ୟକଳାପକୁ ସୁଦୃଢ଼ କରିବା ପାଇଁ ପ୍ରତି ସପ୍ତାହରେ ଏସ୍‌ପିମାନେ ନିଜେ ସାଇବର ଥାନା ପରିଦର୍ଶନ କରି ସମୀକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଶ୍ରୀ ସଞ୍ଜୟ କୁମାର, ଶ୍ରୀ ପ୍ରତୀକ ମହାନ୍ତି, ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ