ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର ମୁରଲୀଧର ଉର୍ମାଲ: ୫ ଲକ୍ଷ ଟଙ୍କା ଓ ସ୍କର୍ପିଓ ଗାଡ଼ି ଜବତ, ୩ଟି ସ୍ଥାନରେ ଚଢ଼ାଉ ଜାରି

ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କୁ ଭିଜିଲାନ୍ସ ବିଭାଗ ଅଟକ ରଖିଛି। ତାଙ୍କ ନିକଟରୁ ସନ୍ଦିଗ୍ଧ ୫ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଟଙ୍କାର ଉତ୍ସ ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଟଙ୍କା ସହ ତାଙ୍କ ସ୍କର୍ପିଓ ଗାଡ଼ିକୁ ଜବତ କରାଯିବା ସହ ୩ଟି ଠିକଣାରେ ଏକକାଳୀନ ଚଢ଼ାଉ ଆରମ୍ଭ ହୋଇଛି।
ରାଉରକେଲା,୨୦/୮(ଓ-ଖବର)- ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍ ଅଟକ ରଖି ତାଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି।
ସୂଚନା ଅନୁଯାୟୀ, ଆଜି ଶ୍ରୀ ଉର୍ମାଲ ନିଜ ଭଡ଼ା ସ୍କର୍ପିଓ ଗାଡ଼ିରେ ଲାଠିକଟା କାର୍ଯ୍ୟାଳୟରୁ ରାଉରକେଲା ସ୍ଥିତ ନିଜ ବାସଭବନକୁ ଫେରୁଥିଲେ। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ଲାଠିକଟାର ରାଜାବସା ଛକ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ତଲାସୀ ସମୟରେ ତାଙ୍କ ନିକଟରୁ ନଗଦ ୫ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିଲା।
ଉଦ୍ଧାର ହୋଇଥିବା ଟଙ୍କାର ସଠିକ୍ ହିସାବ କିମ୍ବା ଉତ୍ସ ସମ୍ପର୍କରେ ତହସିଲଦାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଫଳରେ ଭିଜିଲାନ୍ସ ଅଧିକାରୀମାନେ ୫ ଲକ୍ଷ ଟଙ୍କା ସମେତ ସ୍କର୍ପିଓ ଗାଡ଼ିଟିକୁ ଜବତ କରିଛନ୍ତି।
ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ (DA) ଅଭିଯୋଗରେ ଶ୍ରୀ ଉର୍ମାଲଙ୍କ ସହ ଜଡ଼ିତ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
