Odisha Public Khabar
Odisha Public Khabar
ଅପରାଧ

ରାୟଗଡ଼ାରେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗ୍ ପର୍ଦ୍ଦାଫାଶ: ୧୨ ଗିରଫ, ବିପୁଳ ସୁନା-ରୂପା ଓ ୪ଟି ଗାଡ଼ି ଜବତ

O-Khabar Admin
Odisha
Share:
ରାୟଗଡ଼ାରେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗ୍ ପର୍ଦ୍ଦାଫାଶ: ୧୨ ଗିରଫ, ବିପୁଳ ସୁନା-ରୂପା ଓ ୪ଟି ଗାଡ଼ି ଜବତ

ରାୟଗଡ଼ା ଜିଲ୍ଲା ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗର ୧୨ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗ ବନ୍ଦ ଘରଗୁଡ଼ିକୁ ରେକି କରି ତାଲା ଭାଙ୍ଗି ଚୋରି କରୁଥିଲେ ଏବଂ ଚୋରି ସୁନାକୁ ତରଳାଇ ଗୋଲ୍ଡ ଲୋନ୍ ବ୍ୟାଙ୍କରେ ବନ୍ଧକ ରଖୁଥିଲେ। ସେମାନଙ୍କ ଠାରୁ ୨୪୦ ଗ୍ରାମରୁ ଊର୍ଦ୍ଧ୍ୱ ସୁନା, ୫୮୧ ଗ୍ରାମ ରୂପା, ୪ଟି ଗାଡ଼ି (୩ଟି କାର୍ ଓ ଗୋଟିଏ ବୁଲେଟ୍), ୧୨ଟି ମୋବାଇଲ୍ ଫୋନ୍ ଏବଂ ତାଲା ଭାଙ୍ଗିବା ସରଞ୍ଜାମ ଜବତ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ରାୟଗଡ଼ା,୧୮/୮(ଓ-ଖବର)- ରାୟଗଡ଼ା ଜିଲ୍ଲାରେ କ୍ରମାଗତ ଭାବେ ଘଟୁଥିବା ଚୋରି ଓ ସିନ୍ଧିଚୋରି ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁ ଓ ଗୁଣୁପୁର ଏସ୍‌ଡିପିଓ ବାବୁଲି ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଅଭିଯାନରେ ରାୟଗଡ଼ା ଆଇଆଇସି କେଶବ ଷଡଙ୍ଗୀ, ଟିକିରି ଆଇଆଇସି ପ୍ରଶାନ୍ତ ସ୍ୱାଇଁ, ଗୁଣୁପୁର ଆଇଆଇସି କେ.କେ.ବି.କେ. କଁହର, ଅଣ୍ଡିରାକଞ୍ଚ ଆଇଆଇସି ଶିବାଜି ପଣ୍ଡା, ଦୋରାଗୁଡ଼ା ଆଇଆଇସି ନୀଳକଣ୍ଠ ବେହେରା ଓ ଚାନ୍ଦିଲି ଆଇଆଇସି ଉତ୍ତମ କୁମାର ସାହୁଙ୍କ ସମେତ ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ, ରେଡ୍ ଏବଂ ସାଇବର ଟିମ୍ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ପୋଲିସ ଏହି ଆନ୍ତଃଜିଲ୍ଲା ଚୋର ସିଣ୍ଡିକେଟ୍‌ର ୧୨ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା-ରୂପା ଓ ଗାଡ଼ି ଜବତ କରିଛି। ରାମନାଗୁଡ଼ା ଓ ଦୋରାଗୁଡ଼ା ଥାନା ଅଞ୍ଚଳରେ ଘଟିଥିବା ଚୋରି ମାମଲାର ଯାଞ୍ଚ ବେଳେ ପୋଲିସ ଏହି ଗ୍ୟାଙ୍ଗ୍ ସମ୍ପର୍କରେ ତଥ୍ୟ ପାଇଥିଲା। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ୍ ଏକ ସୁଚିନ୍ତିତ ଯୋଜନା ଅନୁଯାୟୀ ଅପରାଧ ଘଟାଉଥିଲା। ପ୍ରଥମେ ବନ୍ଦ ଥିବା ଘରଗୁଡ଼ିକୁ ଚିହ୍ନଟ କରି ରେକି କରାଯାଉଥିଲା ଏବଂ ପରେ ସ୍ୱତନ୍ତ୍ର ସରଞ୍ଜାମ ସାହାଯ୍ୟରେ ତାଲା ଭାଙ୍ଗି ଚୋରି କରାଯାଉଥିଲା। ଚୋରି ହୋଇଥିବା ସୁନା ଗହଣାକୁ କାରିଗର ଦ୍ୱାରା ତରଳାଇ ନୂଆ ରୂପ ଦିଆଯିବା ପରେ ସେଗୁଡ଼ିକୁ ବିଭିନ୍ନ ଗୋଲ୍ଡ ଲୋନ୍ ବ୍ୟାଙ୍କରେ ବନ୍ଧକ ରଖି କିମ୍ବା ଶସ୍ତା ଦରରେ ବିକ୍ରି କରି ଟଙ୍କା ଲୁଟୁଥିଲେ। ପୋଲିସ ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ଠାରୁ ଏକ ଏର୍ଟିଗା, ବୋଲେରୋ ନିଓ, ଚେଭୋର୍ଲେଟ କାର୍ ଏବଂ ଗୋଟିଏ ରୟାଲ ଏନଫିଲ୍ଡ ବୁଲେଟ୍ ଜବତ କରାଯାଇଛି। ଏହା ସହିତ ପ୍ରାୟ ୨୪୦ ଗ୍ରାମରୁ ଊର୍ଦ୍ଧ୍ୱ ସୁନା, ୫୮୧ ଗ୍ରାମ ରୂପା, ୧୨ଟି ମୋବାଇଲ୍ ଫୋନ୍, ସୁନା ତରଳାଇବା ଗ୍ୟାସ୍ ସିଲିଣ୍ଡର, ଓଜନ ମେସିନ୍ ଏବଂ ତାଲା ଭାଙ୍ଗିବା ସରଞ୍ଜାମ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କାଶୀପୁର ଅଞ୍ଚଳର ଦଶମନ୍ତ ନାଏକ, ପ୍ରଶାନ୍ତ ଝୋଡ଼ିଆ, ଦଇତାରୀ ନାଏକ ଓ ବାବୁଲା ନାଏକ; ଚାନ୍ଦିଲିର ବିଷ୍ଣୁ ହରପାଲ; ଟିକିରି ଅଞ୍ଚଳର ବିପିନ ନାଏକ ଓ ଶିବ ଶଙ୍କର ନାଏକ, ରାୟଗଡ଼ା ସହରର ନରହରି ନାଏକ, ବସନ୍ତରା କାର୍ତ୍ତିକ, ଅଜୁ ଓରଫ୍ ଦିଲୀପ ପଲାଇ ଓ ବସନ୍ତ ବେନିଆ ଏବଂ କଲ୍ୟାଣସିଂହପୁରର ମଙ୍ଗୁଳୁ ନାଗ। ଏମାନଙ୍କ ନାମରେ ପୂର୍ବରୁ ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଥାନାରେ ୧୫ରୁ ଅଧିକ ସଙ୍ଗିନ ଅପରାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ