କାଶୀପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ଆସିଲା ୧୩୧ଟି ଅଭିଯୋଗ

ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ କାଶୀପୁର ବ୍ଲକ କାର୍ଯ୍ୟାଳୟଠାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୩୧ଟି ଅଭିଯୋଗ ଆସିଥିବା ବେଳେ ୬ ଜଣଙ୍କୁ ପେନସନ୍ ଏବଂ ୨ ଜଣଙ୍କୁ ହ୍ୱିଲଚେୟାର ପ୍ରଦାନ କରାଯାଇଛି। ତୁରନ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କାଶୀପୁର,୧୭/୮(ଓ-ଖବର)- ଜିଲ୍ଲା ପ୍ରଶାସନ ପକ୍ଷରୁ କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର, ବ୍ଲକ ଅଧ୍ୟକ୍ଷ ଶ୍ରୀ କଣ୍ଠ ମାଝୀ ଏବଂ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ଏହି ଶିବିରରେ ସର୍ବମୋଟ ୧୩୧ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୦୭ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୨୪ଟି ଗ୍ରାମବାସୀଙ୍କ ସାମୂହିକ ଅଭିଯୋଗ ଥିଲା। ଏହି ଅବସରରେ ୬ ଜଣ ନୂତନ ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ କରାଯାଇଥିଲା ଏବଂ ଆବଶ୍ୟକ କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ହ୍ୱିଲଚେୟାର ପ୍ରଦାନ କରାଯାଇଥିଲା।
ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଲୋକଙ୍କ ସମସ୍ୟା ଗୁଡ଼ିକୁ ଗ୍ରହଣ କରିବା ପରେ, ସେଗୁଡ଼ିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
