Odisha Public Khabar
Odisha Public Khabar
rayagada

ରାୟଗଡ଼ାରେ ଭାରତୀୟ ମଜଦୁର ସଂଘର ଗର୍ଜନ: ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିପତ୍ର

O-Khabar Admin
rayagada
Share:
ରାୟଗଡ଼ାରେ ଭାରତୀୟ ମଜଦୁର ସଂଘର ଗର୍ଜନ: ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିପତ୍ର

ଶ୍ରମିକମାନଙ୍କର ବିଭିନ୍ନ ଲମ୍ବିତ ସମସ୍ୟାର ସମାଧାନ ଦାବିରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ (BMS) ପକ୍ଷରୁ ଆଜି ଏକ ବିରାଟ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇପିଏଫ୍ ପେନ୍‌ସନ୍ ବୃଦ୍ଧି, 'ସମାନ କାମକୁ ସମାନ ଦରମା' ଏବଂ ସର୍ବନିମ୍ନ ମାସିକ ଦରମା ୩୦ ହଜାର ଟଙ୍କା କରିବା ଆଦି ପ୍ରମୁଖ ୧୨ ଗୋଟି ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିଲା। ଏହି ଅବସରରେ ସଂଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ରାୟଗଡ଼ା,୧୭/୮(ଓ-ଖବର)- ଶ୍ରମିକମାନଙ୍କ ଦୀର୍ଘ ଦିନର ସମସ୍ୟା ସମାଧାନ ଦାବିରେ ସୋମବାର ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ (ବିଏମ୍ଏସ୍) ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ରାଞ୍ଚିଠାରେ ଅନୁଷ୍ଠିତ ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଆଜି ସାରା ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଶ୍ରମିକ ହିତରେ ‘ପ୍ରତିବାଦ ଦିବସ’ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ା ଗାନ୍ଧୀ ପାର୍କଠାରେ ସମସ୍ତ ଶ୍ରମିକ ସଂଗଠନର କର୍ମୀମାନେ ଏକତ୍ରିତ ହୋଇଥିଲେ। ବିଏମ୍ଏସ୍ ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ, ଜିଲ୍ଲା ସଭାପତି ମୋହନ ରାଓ ମାଝୀ ଓ ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଶ୍ରମିକମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସରକାରଙ୍କୁ ଦିଆଯାଇଥିବା ୧୨ ଗୋଟି ଦାବି ମଧ୍ୟରେ ଇଏସ୍ଆଇସି (ESIC) ଦରମା ସୀମା ୨୧ ହଜାରରୁ ୪୨ ହଜାର ଟଙ୍କାକୁ ବୃଦ୍ଧି, ଇପିଏଫ୍ ସର୍ବନିମ୍ନ ପେନ୍‌ସନ୍ ୭,୫୦୦ ଟଙ୍କା କରିବା ସହ ଦରମା ସୀମା ୩୦ ହଜାର ଟଙ୍କା କରିବା ଅନ୍ତର୍ଭୁକ୍ତ। ଏହାଛଡ଼ା ବୋନସ୍ ଯୋଗ୍ୟତା ସୀମା ୪୨ ହଜାର ଟଙ୍କା କରିବା, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ଭଳି ସ୍କିମ୍ ଶ୍ରମିକଙ୍କ ମାନଦଣ୍ଡ ବୃଦ୍ଧି, ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ ‘ସମାନ କାମକୁ ସମାନ ଦରମା’, ଶ୍ରମ ଆଇନରୁ ଶ୍ରମିକ ବିରୋଧୀ ଧାରା ଉଚ୍ଛେଦ, ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ୫ ଦିନିଆ କାର୍ଯ୍ୟ ସପ୍ତାହ, ଗ୍ରାଚୁଇଟି ସୀମା ୪୦ ଲକ୍ଷକୁ ବୃଦ୍ଧି ଏବଂ ଜାତୀୟ ସର୍ବନିମ୍ନ ଦରମା ମାସିକ ୩୦ ହଜାର ଟଙ୍କା ନିର୍ଦ୍ଧାରଣ ଆଦି ଦାବି କରାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଜୟନ୍ତୀ ପଦ୍ମାଳୟା ସାହୁ, ଉଷାରାଣୀ ଦାଶ, ଗୀତା ହିସାବ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କର୍ମକର୍ତ୍ତା ଓ ସାଧାରଣ ଶ୍ରମିକ ଅଂଶଗ୍ରହଣ କରିଥିଲେ।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ