୪୨ ଲକ୍ଷ ଟଙ୍କାର ଧାନ କ୍ରୟ ଦୁର୍ନୀତି: ତୁଷୁରା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅଧୀନସ୍ଥ ତୁଷୁରା ପ୍ୟାକ୍ସର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ୪୨.୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଧାନ କ୍ରୟ ଅନିୟମିତତା ଓ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି।
ବଲାଙ୍ଗୀର,୧୭/୮(ଓ-ଖବର)- ଧାନ ସଂଗ୍ରହରେ ହୋଇଥିବା ବଡ଼ ଧରଣର ଦୁର୍ନୀତି ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାରୀ ପାଣ୍ଠିରୁ ପ୍ରାୟ ୪୨.୩୧ ଲକ୍ଷ ଟଙ୍କା ହେରଫେର କରିବା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ତୁଷୁରା ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ତାଙ୍କୁ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।
ତଥ୍ୟ ଅନୁସାରେ, ଖରିଫ ମାର୍କେଟିଂ ଋତୁ ୨୦୧୪-୧୫ରେ ଧାନ କ୍ରୟରେ ବ୍ୟାପକ ଅନିୟମିତତା ଓ ଜାଲିଆତି ନେଇ ତଦନ୍ତ କରାଯାଇଥିଲା। ସେହି ସମୟରେ ତୁଷୁରା ପ୍ୟାକ୍ସର ସମ୍ପାଦକ ଥିବା ଶ୍ରୀ ମିଶ୍ର ସ୍ଥାନୀୟ ଚାଷୀଙ୍କଠାରୁ ଧାନ ସଂଗ୍ରହ କରି ତାହାକୁ ଚିହ୍ନଟ ରାଇସ ମିଲର୍ସଙ୍କ ନିକଟକୁ କଷ୍ଟମ ମିଲିଂ ପାଇଁ ପଠାଇବା ଦାୟିତ୍ୱରେ ଥିଲେ।
କିନ୍ତୁ ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ ସରକାରୀ ଅର୍ଥରେ କିଣାଯାଇଥିବା ବିପୁଳ ପରିମାଣର ଧାନ ମିଲରମାନଙ୍କୁ ପଠାଯାଇ ନଥିଲା କିମ୍ବା ସମିତିର ଷ୍ଟକ୍ ରେକର୍ଡରେ ମଧ୍ୟ ତାର ସଠିକ୍ ହିସାବ ରଖାଯାଇ ନଥିଲା। ଏହି ନକଲି ହିସାବ ଓ ଧାନ ଗାଏବ କରିବା ଫଳରେ ସମିତିର ମୋଟ ୪୨,୩୧,୬୦୮ ଟଙ୍କାର ଆର୍ଥିକ କ୍ଷତି ଘଟିଥିବା ବେଳେ ଶ୍ରୀ ମିଶ୍ର ସେହି ସରକାରୀ ଅର୍ଥର ଦୁରୁପଯୋଗ କରିଥିଲେ।
ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୦୯ ଏବଂ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ଓ ୧୩(୧)(c) ଅନୁଯାୟୀ ମାମଲା (କେସ୍ ନଂ ୧୨, ତା ୧୬.୦୮.୨୦୨୬) ରୁଜୁ ହୋଇଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
