ଲକ୍ଷ୍ମୀ ବସ୍ଷ୍ଟାଣ୍ଡରେ ବିଜେପି କାର୍ଯ୍ୟାଳୟ ବ୍ୟାନର: ବିବାଦ ପରେ ତରବରିଆ ହଟାଇଲେ ଦଳୀୟ କର୍ମୀ !

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରସ୍ଥିତ ଏକ ସରକାରୀ ‘ଲକ୍ଷ୍ମୀ ବସ୍ଷ୍ଟାଣ୍ଡ’ରେ ବିଜେପି କାର୍ଯ୍ୟାଳୟର ବ୍ୟାନର ଲଗାଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିବା ପରେ, ବିଜେପି କର୍ମୀମାନେ ନିଜେ ତରବରିଆ ଭାବେ ବ୍ୟାନରଟିକୁ କାଢ଼ି ଦେଇଥିବା ଦେଖିବାକୁ ମିଳିଛି।
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ସର୍ବସାଧାରଣ ‘ଲକ୍ଷ୍ମୀ ବସ୍ଷ୍ଟାଣ୍ଡ’ରେ ବିଜେପି ପକ୍ଷରୁ କାର୍ଯ୍ୟାଳୟ ବ୍ୟାନର ଲଗାଯିବା ଏବଂ କିଛି ଘଣ୍ଟା ମଧ୍ୟରେ ତାହାକୁ ପୁଣି କାଢ଼ି ନିଆଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ସରକାରୀ ‘ଲକ୍ଷ୍ମୀ ବସ୍ଷ୍ଟାଣ୍ଡ’ରେ ବିଜେପି ପକ୍ଷରୁ "ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ, କଲ୍ୟାଣସିଂହପୁର ମଣ୍ଡଳ" ଉଲ୍ଲେଖ ଥିବା ଏକ ବଡ଼ ବ୍ୟାନର ଲଗାଯାଇଥିଲା। ଏକ ସରକାରୀ ତଥା ଯାତ୍ରୀଙ୍କ ଉଦ୍ଦିଷ୍ଟ ବସ୍ଷ୍ଟାଣ୍ଡକୁ ଦଳୀୟ କାର୍ଯ୍ୟାଳୟ ଭାବେ ଦର୍ଶାଯିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି କିଛି ସଚେତନ ନାଗରିକ ଏ ନେଇ ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗ ଓ ଚର୍ଚ୍ଚା ବଢ଼ିବା ପରେ, ବ୍ୟାନର ଲାଗିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଦଳୀୟ କର୍ମୀମାନେ ନିଜେ ତରବରିଆ ଭାବେ ତାହାକୁ ଖୋଲି ନେଇଥିଲେ। ସରକାରୀ ସମ୍ପତ୍ତିରେ କାହିଁକି ଏପରି ବ୍ୟାନର ମରାଗଲା ଏବଂ ପରବର୍ତ୍ତୀ ସମୟରେ କାହିଁକି ହଟାଗଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କଲ୍ୟାଣସିଂହପୁର ବିଜେପି ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଯୋଗାଯୋଗ ହୋଇପାରି ନାହିଁ।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
