ଓଡ଼ିଶାର ନୂଆ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ବିନୟତୋଷ ମିଶ୍ର

ବରିଷ୍ଠ ଆଇପିଏସ ଅଧିକାରୀ ବିନୟତୋଷ ମିଶ୍ର ଆଜି ଓଡ଼ିଶାର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ସ୍ଥାନ ନେଇଛନ୍ତି। ନାରୀ ସୁରକ୍ଷା, ନିଶା ନିବାରଣ, ସଂଗଠିତ ଅପରାଧ ଦମନ ଏବଂ ସାଇବର ଅପରାଧ ନିୟନ୍ତ୍ରଣ ତାଙ୍କର ପ୍ରମୁଖ ପ୍ରାଥମିକତା ରହିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।
କଟକ,୧୬/୮(ଓ-ଖବର)- ଓଡ଼ିଶା ପୋଲିସର ନୂତନ ମୁଖିଆ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର। ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ସେ ପୂର୍ବତନ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଠାରୁ ଏହି ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେ କ୍ରାଇମବ୍ରାଞ୍ଚ ଡିଜି ଭାବେ ନିଜର ଦାୟିତ୍ଵ ତୁଲାଉଥିବା ବେଳେ ଏବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଭାବେ ମଧ୍ୟ ଅତିରିକ୍ତ କାର୍ଯ୍ୟଭାର ସମ୍ଭାଳିବେ।
ଭବ୍ୟ ସ୍ୱାଗତ ଓ ସମ୍ମାନ ପ୍ରଦର୍ଶନ
ନୂତନ ଡିଜିପି ଶ୍ରୀ ମିଶ୍ର ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀଗଣ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପରେ ତାଙ୍କୁ ବିଧିବଦ୍ଧ ଭାବେ “ଗାର୍ଡ ଅଫ୍ ଅନର” ପ୍ରଦାନ କରାଯାଇଥିଲା। ଏହାପରେ ସେ ଶହିଦ ସ୍ମୃତିସ୍ତମ୍ଭଠାରେ ମାଲ୍ୟାର୍ପଣ କରି ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପ୍ରାଥମିକତାରେ ନାରୀ ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ
ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡିଜିପି ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଛନ୍ତି ଯେ, ନାରୀ ସୁରକ୍ଷା, ସଂଗଠିତ ଅପରାଧ ଦମନ, ନିଶାମୁକ୍ତ ଓଡ଼ିଶା ଗଠନ ଏବଂ ସାଇବର ଅପରାଧ ନିୟନ୍ତ୍ରଣ ଦିଗରେ ସେ ସର୍ବୋଚ୍ଚ ପ୍ରାଥମିକତା ଦେବେ। ପୋଲିସ କେବଳ ଏକ ଚାକିରି ନୁହେଁ ବରଂ ଏକ ମହତ୍ ସେବା ବୋଲି ଉଲ୍ଲେଖ କରି ସେ ଆଗାମୀ ଦିନରେ ଜନସାଧାରଣଙ୍କ ବିଶ୍ଵାସଭାଜନ ହେବାକୁ ପୋଲିସ କର୍ମଚାରୀମାନଙ୍କୁ ଆହ୍ଵାନ ଦେଇଛନ୍ତି।
ପାର୍ବଣ ଋତୁ ଓ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି
ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରାୟ ୬୦ ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ ବୋଲି ଡିଜିପି ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଓଡ୍ରାଫ୍ ଓ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବା ସହ ଧନଜୀବନର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।
କିଏ ଏହି ନୂଆ ଡିଜିପି?
୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ମୂଳତଃ ବିହାରର ବାସିନ୍ଦା। ନିଜର ଚାକିରି କାଳ ମଧ୍ୟରେ ସେ ବାଲେଶ୍ଵର, ତାଳଚେର, କଟକ, ବ୍ରହ୍ମପୁର ଓ ଯାଜପୁର ଭଳି ବିଭିନ୍ନ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଅତିରିକ୍ତ ପରିବହନ କମିଶନର, ଆଇଜିପି (ରେଳବାଇ), ଆଇଜିପି (ପୂର୍ବାଞ୍ଚଳ) ଭଳି ପଦବୀରେ ସଫଳତାର ସହ କାର୍ଯ୍ୟ କରିବା ପରେ ୨୦୨୫ ଜାନୁଆରୀ ୧ ତାରିଖରୁ ସେ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
