Odisha Public Khabar
Odisha Public Khabar
ରାଜ୍ୟ

ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଅଭିଯୋଗ: ଚିକିତ୍ସାଧୀନ ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

O-Khabar Admin
Odisha
Share:
ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଅଭିଯୋଗ: ଚିକିତ୍ସାଧୀନ ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ରାୟଗଡ଼ା ଜିଲ୍ଲା ବାଙ୍କିଲି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଜିଷୟ ପୁଆଲାଙ୍କର ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି। ଛାତ୍ରଙ୍କ ଗୁରୁତର ଅସୁସ୍ଥତା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ପରିବାରକୁ କୌଣସି ସୂଚନା ନଦେବାରୁ ତାଙ୍କ ଚିକିତ୍ସାରେ ବିଳମ୍ବ ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷଙ୍କ ଏହି ଚରମ ଅବହେଳା କାରଣରୁ ହିଁ ନିରୀହ ଛାତ୍ରଙ୍କର ଜୀବନ ଯାଇଥିବା ପରିବାରବର୍ଗ ଦୃଢ଼ ଅଭିଯୋଗ କରିଛନ୍ତି।

ରାୟଗଡ଼ା,୧୬/୮(ଓ-ଖବର)- ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ଘୋର ଅବହେଳା କାରଣରୁ ଜଣେ ଛାତ୍ରଙ୍କର ଅକାଳ ବିୟୋଗ ଘଟିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣକ ହେଲେ ବାଙ୍କିଲି ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ପଢ଼ୁଥିବା ୧୩ ବର୍ଷୀୟ ଜିଷୟ ପୁଆଲା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।କୋଲନରା ବ୍ଲକ କାଟିକଣା ପଞ୍ଚାୟତ ରୁପୁଣି ଗ୍ରାମର ସିତୁ ପୁଆଲାଙ୍କ ପୁଅ।

ମିଳିଥିବା ସୂଚନା ଅନୁଯାୟୀ, ଜିଷୟ ସ୍କୁଲରେ ଥିବା ସମୟରେ ଗୁରୁତର ଭାବେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଆଶ୍ଚର୍ଯ୍ୟର ବିଷୟ ଯେ, ପିଲାର ଦେହ ଏତେ ଖରାପ ଥିବା ସତ୍ତ୍ୱେ ସ୍କୁଲ କର୍ତ୍ତୃପକ୍ଷ ଏନେଇ ପରିବାର ଲୋକଙ୍କୁ କୌଣସି ଖବର ଦେଇନଥିଲେ। ପରେ ଜିଷୟଙ୍କର କିଛି ସହପାଠୀ ତାଙ୍କ ପରିବାରବର୍ଗଙ୍କୁ ଏହି ସୂଚନା ଦେଇଥିଲେ। ଖବର ପାଇବା ମାତ୍ରେ ବାପା ସିତୁ ପୁଆଲା ଗତ ଶୁକ୍ରବାର ଦିନ ସ୍କୁଲରେ ପହଞ୍ଚି ପୁଅକୁ ନିଜ ଘରକୁ ଆଣିଥିଲେ।

ଘରେ ଥିବା ବେଳେ ପିଲାର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ଫଳରେ ଆଜି ଭୋର୍ ପ୍ରାୟ ୪ଟା ସମୟରେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜିଷୟ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସମୟ ଥାଉ ଥାଉ ସ୍କୁଲ ପ୍ରଶାସନ ଯଦି ପରିବାରକୁ ଖବର ଦେଇଥାନ୍ତେ, ତେବେ ପିଲାର ଉପଯୁକ୍ତ ଚିକିତ୍ସା ହୋଇପାରିଥାନ୍ତା ବୋଲି ପରିବାର ଲୋକେ ଦାବି କରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲି ମନୋଭାବ ଓ ଅବହେଳା କାରଣରୁ ହିଁ ନିରୀହ ଛାତ୍ରଙ୍କ ଜୀବନ ଗଲା ବୋଲି ପରିବାରବର୍ଗ ଦୃଢ଼ ଅଭିଯୋଗ କରିଛନ୍ତି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ