ରାୟଗଡ଼ା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ: ଅଧ୍ୟକ୍ଷ ବିଦ୍ୟାଧର ଶବରଙ୍କ ଦ୍ୱାରା ପତାକା ଉତ୍ତୋଳନ

ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପରିଷଦର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ନେତାମାନେ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିବା ସହ ଦେଶପ୍ରେମର ବାର୍ତ୍ତା ଦେଇଥିଲେ।
ରାୟଗଡ଼ା,୧୫/୮(ଓ-ଖବର)- ଆଜି ଦେଶବ୍ୟାପୀ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହେଉଥିବା ବେଳେ ରାୟଗଡ଼ା ଜିଲ୍ଲାରେ ମଧ୍ୟ ଏହାର ଉତ୍ସାହ ଦେଖିବାକୁ ମିଳିଛି। ଏହି ଉପଲକ୍ଷେ ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ।
ଉତ୍ସବରେ ବିଜେପିର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ. ଗଣପତି ନିଜ ବକ୍ତବ୍ୟରେ ଦେଶପ୍ରେମର ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ, ଆଜି ଆକାଶରେ ଉଡୁଥିବା ଆମ ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ବରଂ ଏହା ଆମ ସ୍ୱାଧୀନତା, ଏକତା, ଅଖଣ୍ଡତା, ତ୍ୟାଗ ଓ ଦେଶପ୍ରେମର ପ୍ରତୀକ। ଏହି ତ୍ରିରଙ୍ଗା ପଛରେ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ଜାତୀୟ ଜନଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ କାଳୀରାମ ମାଝୀ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଉମେଶ ଖୋସଲା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହେଲା ଭେଙ୍କଟେଶ୍ବର ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନିଆକା ଏବଂ କୃଷକ ମୋର୍ଚ୍ଚା ସଭାପତି ପ୍ରତାପ ପୁଆଲା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
