Odisha Public Khabar
Odisha Public Khabar
rayagada

ରାୟଗଡ଼ରେ ଦେଶଭକ୍ତି ଓ ଉତ୍ସାହର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ

O-Khabar Admin
rayagada
Share:
ରାୟଗଡ଼ରେ ଦେଶଭକ୍ତି ଓ ଉତ୍ସାହର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାୟଗଡ଼ ଜିଲ୍ଲାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ପିଏମ୍ ଶ୍ରୀ ଜିସିଡି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କୃତୀ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା ସହ ଚିତ୍ତାକର୍ଷକ ପରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ରାୟଗଡ଼ା,୧୫/୮(ଓ-ଖବର)- ରାୟଗଡ଼ା ଜିଲ୍ଲାରେ ଉତ୍ସାହ, ଗରିମା ଓ ଦେଶଭକ୍ତିର ଭାବନା ସହ ୮୦ତମ ସ୍ୱାଧୀନତା ଦିବସ ଧୁମଧାମରେ ପାଳିତ ହୋଇଛି। ସ୍ଥାନୀୟ ପିଏମ୍ ଶ୍ରୀ ଜିସିଡି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଶ୍ରୀ ରାଜ ପ୍ରସାଦ ଉପସ୍ଥିତ ଥିଲେ।

ସିଆରପିଏଫ୍, ଓଡ଼ିଶା ପୋଲିସ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଶାଇ ପ୍ରାୟ ୪୦ଟି ପ୍ଲାଟୁନ୍ ଏହି ଭବ୍ୟ ପରେଡ୍‌ରେ ଅଂଶଗ୍ରହଣ କରି ଦେଶପ୍ରେମ ଓ ଶୃଙ୍ଖଳାର ଚମତ୍କାର ପ୍ରଦର୍ଶନ କରିଥିଲେ। ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଦିନେଶ କୁମାର ସାହୁଙ୍କ ସୁଚାରୁ ପରିଚାଳନାରେ ଏହି ପରେଡ୍ ଅନୁଷ୍ଠିତ ହୋଇଥିଲା। ଏହାସହ ସାଇବର ପୋଲିସ ପକ୍ଷରୁ ପ୍ରସ୍ତୁତ ପ୍ରଦର୍ଶନୀ ରଥ ଏବଂ ପିଲାଙ୍କ ଦ୍ୱାରା ଦେଶଭକ୍ତିମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଏହି ରାଷ୍ଟ୍ରୀୟ ଉତ୍ସବ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

ଦେଶସେବା ପାଇଁ ଭାରତୀୟ ସେନାବାହିନୀର ଶ୍ରୀ ଦେବୀ ପ୍ରସାଦ ପାଣିଗ୍ରାହୀ, ଭାରତୀୟ ବାୟୁସେନାର ଶ୍ରୀ ଲକ୍ଷ୍ମୀନାରାୟଣ ପାଢ଼ୀ ଏବଂ ଭାରତୀୟ ନୌସେନାର ଶ୍ରୀ ଠାକୁର ପ୍ରସାଦ ଜେନା।

ସମାଜସେବା ଓ ପରିବେଶ ପାଇଁ ସମାଜସେବା ପାଇଁ ଶ୍ରୀ ଅନାଦି ଗରଡା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପ୍ରକୃତି ବନ୍ଧୁ ଶ୍ରୀମତୀ ଟି. ଗୌରୀ।

ସାହସିକତା ପାଇଁ କଲ୍ୟାଣସିଂହପୁର ଅଞ୍ଚଳର ଭାଲେରୀ ଗ୍ରାମର ଶ୍ରୀ ବଳରାମ ବାଗ, ଇନ୍ତାଲିଗୁଡ଼ା ଗ୍ରାମର ଶ୍ରୀ ପୁରୁଷୁ ହିକକା ଏବଂ ବିନିଶପୁର ଗ୍ରାମର ଶ୍ରୀ ରାମଚନ୍ଦ୍ର ପାଲକା। ସେହିଭଳି କ୍ରୀଡ଼ା ଓ ଶିକ୍ଷା ପାଇଁ ଜାତୀୟ ସ୍ତରୀୟ ଥ୍ରୋ ବଲ୍ ପ୍ରତିଯୋଗିତାରେ କାଂସ୍ୟ ପଦକ ବିଜେତା ମୌସୁମୀ ମାଝୀ ଓ ସ୍ଵପ୍ନା ହୁଇକାଙ୍କ ସମେତ ଦଶମ, ଦ୍ୱାଦଶ ଓ ସ୍ନାତକ ସ୍ତରର ଶ୍ରେଷ୍ଠ କୃତୀ ଛାତ୍ରଛାତ୍ରୀ।

ପ୍ୟାରେଡ୍ ସମାପ୍ତ ହେବା ପରେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଗସ୍ତ କରି ଚିକିତ୍ସାଧୀନ ରୋଗୀମାନଙ୍କୁ ଏବଂ ଜିଲ୍ଲା କାରାଗାରରେ ଥିବା କଏଦୀମାନଙ୍କୁ ଫଳ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରିଙ୍କ ସମନ୍ୱୟ ରକ୍ଷା ଉଲ୍ଲେଖନୀୟ ରହିଥିଲା। ଏଥିସହ ଜିଲ୍ଲା ପ୍ରଶାସନ, ପୋଲିସ, ପୌରପାଳିକା, ଆର୍‌ ଆଣ୍ଡ୍‌ ବି, ପିଏଚ୍‌ଡି ବିଭାଗ ସମେତ ସମସ୍ତ ଲାଇନ୍ ବିଭାଗର କର୍ମଚାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଜନପ୍ରତିନିଧିମାନଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିଲା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ