Odisha Public Khabar
Odisha Public Khabar
rayagada

ରାୟଗଡ଼ା ୟୁ.ଜି.ଏମ୍.ଆଇ.ଟି. ରେ ମହାସମାରୋହରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

O-Khabar Admin
rayagada
Share:
ରାୟଗଡ଼ା ୟୁ.ଜି.ଏମ୍.ଆଇ.ଟି. ରେ ମହାସମାରୋହରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାୟଗଡ଼ା ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ (ୟୁ.ଜି.ଏମ୍.ଆଇ.ଟି.) ପରିସରରେ ଶନିବାର ଦିନ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଅନିଲ କୁମାର ପାତ୍ର ଏବଂ ମୁଖ୍ୟ ଅତିଥି ସବ୍ୟସାଚୀ ସାହୁଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ଦେଶ ଗଠନରେ ଯୁବପିଢ଼ିଙ୍କ ଭୂମିକା ଏବଂ ନାଗରିକ କର୍ତ୍ତବ୍ୟ ଉପରେ ଆଲୋକପାତ କରାଯାଇଥିଲା।

ରାୟଗଡ଼ା,୧୫/୮(ଓ ଖବର)-ଦେଶପ୍ରେମ, ଉତ୍ସାହ ଓ ଗରିମାମୟ ପରିବେଶ ମଧ୍ୟରେ ରାୟଗଡ଼ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ (ୟୁ.ଜି.ଏମ୍.ଆଇ.ଟି.) ଠାରେ ଭାରତର ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଅନୁଷ୍ଠାନ ପରିସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇ ସମ୍ମାନ ଜ୍ଞାପନ କରାଯାଇଥିଲା। ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସମ୍ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିବା ସହ ଦେଶର ସ୍ୱାଧୀନତା ପାଇଁ ଅମର ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନିଲ କୁମାର ପାତ୍ର ଏବଂ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଳ୍ପକେନ୍ଦ୍ରର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ପୁରାତନ ଛାତ୍ର ସଂଘର ସଚିବ ଶ୍ରୀଯୁକ୍ତ ସବ୍ୟସାଚୀ ସାହୁ ଯୋଗ ଦେଇଥିଲେ। ଦେଶର ଅଗ୍ରଗତି ଏବଂ ଏକ ଉଜ୍ଜ୍ୱଳ ଭାରତ ଗଠନରେ ଯୁବପିଢ଼ିର ଭୂମିକା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ସ୍ୱାଧୀନତା କେବଳ ଏକ ଅଧିକାର ନୁହେଁ, ବରଂ ଏକ ମହାନ ଦାୟିତ୍ୱ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଶେଷକରି ଜ୍ଞାନ, ଶୃଙ୍ଖଳା, ଚରିତ୍ର ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ସଶକ୍ତ ଭାରତ ଗଠନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା।

ଏହି ଅବସରରେ ଅନୁଷ୍ଠାନ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଓଡ଼ିଆ ଜାତିର ସ୍ୱାଭିମାନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁବାବୁଙ୍କ ଅଦମ୍ୟ ସଂଘର୍ଷ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଜାତୀୟ ଏକତା, ଦେଶ ପ୍ରତି କର୍ତ୍ତବ୍ୟବୋଧ ଏବଂ ସାମାଜିକ ଦାୟିତ୍ୱବୋଧର ସଂକଳ୍ପ ନେଇଥିଲେ।

ସମଗ୍ର ପରିବେଶ “ଜୟ ହିନ୍ଦ୍”, “ବନ୍ଦେ ମାତରମ୍” ଓ “ଭାରତ ମାତା କୀ ଜୟ” ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ପରିଶେଷରେ ଶ୍ରୀ ଜ୍ୟୋତି ପ୍ରକାଶ ଗିରି ଉପସ୍ଥିତ ସମସ୍ତ ଅତିଥି, ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ