ସିଜିମାଳିରେ ଭିନ୍ନ ଧରଣର ସ୍ୱାଧୀନତା ଦିବସ ପାଳନ: ଜଳ, ଜଙ୍ଗଲ ଓ ଜମି ସୁରକ୍ଷା ପାଇଁ ଗର୍ଜିଲେ ଆଦିବାସୀ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ସିଜିମାଳିଠାରେ 'ମାଆ ମାଟି ମାଳି ସୁରକ୍ଷା ମଞ୍ଚ' ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଶତାଧିକ ଲୋକ ଏକାଠି ହୋଇ ଖଣି କମ୍ପାନୀ ବିରୋଧରେ ସ୍ଲୋଗାନ ଦେବା ସହ ନିଜ ଭିଟାମାଟି, ଜଳ, ଜଙ୍ଗଲ ଏବଂ ଜୈବ ବିବିଧତାର ସୁରକ୍ଷା ପାଇଁ ଶପଥ ନେଇଛନ୍ତି।
ରାୟଗଡ଼ା,୧୫/୮(ଓ-ଖବର)- ସାରା ଦେଶ ଆଜି ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରୁଥିବା ବେଳେ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ପାହାଡ଼ ଉପରେ ଏକ ନିଆରା ଏବଂ ବିପ୍ଳବାତ୍ମକ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦାମାନେ ସ୍ୱାଧୀନତାର ଉତ୍ସବ ପାଳନ କରିବା ସହିତ ନିଜ ଅସ୍ତିତ୍ୱ ଏବଂ ପ୍ରକୃତିର ସୁରକ୍ଷା ପାଇଁ ଏକଜୁଟ୍ ହୋଇ ହୁଙ୍କାର ଦେଇଛନ୍ତି।
'ମାଆ ମାଟି ମାଳି ସୁରକ୍ଷା ମଞ୍ଚ'ର ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଦିବାସୀ, ଦଳିତ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାର ଏକାଠି ହୋଇଥିଲେ। ପାରମ୍ପରିକ ରୀତିନୀତିରେ ଏକ ବାଉଁଶ ଖୁଣ୍ଟରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ଅଞ୍ଚଳବାସୀ ସିଜିମାଳିର ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ।
ସିଜିମାଳି ଅଞ୍ଚଳ ଏକ ବିରଳ ଜୈବ ବିବିଧତାର ଭଣ୍ଡାର। ଏଠାରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ଖନନକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଆସୁଛନ୍ତି। ଖନନ ଦ୍ୱାରା ଅଞ୍ଚଳର ପରିବେଶ ନଷ୍ଟ ହେବା ସହ ଲୋକଙ୍କ ଜୀବିକା ଉଜୁଡ଼ିଯିବାର ଆଶଙ୍କା ରହିଛି। ଏହି କାରଣରୁ ଆଜି ସ୍ୱାଧୀନତା ଦିବସ ଅବସରରେ ଉପସ୍ଥିତ ଜନତା ଖଣି କମ୍ପାନୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। "କମ୍ପାନୀ ଗୋ ବ୍ୟାକ୍", "ଜାନ ଯାଉ ଆଉ ଜୀବନ ଯାଉ, ସିଜିମାଳି ବଞ୍ଚି ଥାଉ" ଏବଂ "ମାଆ ମାଟିକୁ ନାଇଁ କରିଦେବୁ ମରୁସ୍ଥାନ" ଭଳି ସ୍ଲୋଗାନରେ ପୁରା ପାହାଡ଼ିଆ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।
ମଞ୍ଚର ନେତୃବୃନ୍ଦ କହିଛନ୍ତି ଯେ, "ଆମେ ଆମର ଜଳ, ଜଙ୍ଗଲ ଓ ଜମିକୁ କୌଣସି ପରିସ୍ଥିତିରେ ବି କମ୍ପାନୀ ହାତକୁ ଟେକି ଦେବୁ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ଆମକୁ ଆମର ସାମ୍ବିଧାନିକ ହକ୍ ଓ ଅଧିକାର ନମିଳିଛି, ସେତେ ଦିନ ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ। ଯେପର୍ଯ୍ୟନ୍ତ ଆକାଶରେ ଚନ୍ଦ୍ର ଓ ସୂର୍ଯ୍ୟ ଥିବେ, ସିଜିମାଳିର ନାମ ରହିଥିବ।"
ବିକାଶ ନାମରେ ପ୍ରକୃତିର ବିନାଶକୁ ଗ୍ରହଣ କରାଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି। ନିଜ ଭିଟାମାଟି ପ୍ରତି ସିଜିମାଳି ବାସିନ୍ଦାଙ୍କ ଏହି ଅତୁଟ ଭଲପାଇବା ଏବଂ ଅଧିକାର ପାଇଁ ସଂଗ୍ରାମ ଆଜିର ପବିତ୍ର ଦିନରେ ସମଗ୍ର ରାଜ୍ୟ ପାଇଁ ଏକ ବଡ଼ ବାର୍ତ୍ତା ସୃଷ୍ଟି କରିଛି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
