‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ: କହିଲେ— ୧୯୪୭ ବିଭାଜନ ଥିଲା ମାନବ ସଭ୍ୟତାର ସବୁଠୁ ବଡ଼ ସ୍ଥାନାନ୍ତରଣ, ଦେଶର ଏକତା ପାଇଁ ସଂକଳ୍ପ ନେବାର ଦିନ

ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଲୋକସେବା ଭବନରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଲେ— ବିଭାଜନ କେବଳ ସ୍ମୃତି ଦିବସ ନୁହେଁ, ଏହା ଦେଶର ଏକତା ଓ ଅଖଣ୍ଡତା ପାଇଁ ‘ସଂକଳ୍ପ ଦିବସ’। ୧୯୪୭ ମସିହାରେ ପ୍ରାୟ ଦେଢ଼ କୋଟି ଲୋକ ବିସ୍ଥାପିତ ହୋଇଥିଲେ ଏବଂ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଯୁବପିଢ଼ିଙ୍କୁ ସଠିକ୍ ଇତିହାସ ଜଣାଇବା ପାଇଁ NCERT ପାଠ୍ୟପୁସ୍ତକରେ ଏହି ବିଭୀଷିକାକୁ ସ୍ଥାନ ଦିଆଯାଇଛି।
ଭୁବନେଶ୍ୱର,୧୪/୮(ଓ-ଖବର)- ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରଠାରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧୯୪୭ ଦେଶ ବିଭାଜନ ସମୟର କଳା ଅଧ୍ୟାୟ, ଅମାନୁଷିକ ଯନ୍ତ୍ରଣା ଏବଂ ହିଂସାର ଭୟାବହତାକୁ ସ୍ମରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଏହି ଦିବସ କେବଳ ଅତୀତର ଦୁଃଖଦ ଘଟଣାକୁ ମନେ ପକାଇବା ପାଇଁ ନୁହେଁ, ବରଂ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏକ ‘ସଂକଳ୍ପ ଦିବସ’। ୧୯୪୭ ମସିହାର ବିଭାଜନ କେବଳ ଦୁଇ ଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ ନ ଥିଲା, ଏହା ଥିଲା ସମଗ୍ର ମାନବ ସଭ୍ୟତାର ସବୁଠାରୁ ବଡ଼ ସ୍ଥାନାନ୍ତରଣ। ସେହି ସମୟରେ ପ୍ରାୟ ଦେଢ଼ କୋଟି ଲୋକ ଭିଟାମାଟି ହରାଇ ଦେଶାନ୍ତର ହୋଇଥିଲେ, ୫ରୁ ୨୦ ଲକ୍ଷ ନିରୀହ ଲୋକଙ୍କ ଜୀବନ ଯାଇଥିଲା ଏବଂ ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳା ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବ୍ରିଟିଶ ସରକାରଙ୍କ ‘ଭାଗ କର ଓ ଶାସନ କର’ ନୀତି ସହିତ ତତ୍କାଳୀନ ରାଜନୈତିକ ନେତୃତ୍ୱଙ୍କ କ୍ଷମତା ଲୋଭ ଏହି ବିଭାଜନର ମୁଖ୍ୟ କାରଣ ଥିଲା। ଯୁବପିଢ଼ି ଯେପରି ଭ୍ରମିତ ନ ହୋଇ ପ୍ରକୃତ ସତ୍ୟ ଜାଣିପାରିବେ, ସେଥିପାଇଁ ଏହି ଇତିହାସକୁ ଏବେ ଏନସିଇଆରଟି ପାଠ୍ୟପୁସ୍ତକରେ ସ୍ଥାନିତ କରାଯାଇଛି।
ଏହି ଅବସରରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ ଯୋଗଦେଇ କହିଥିଲେ ଯେ, ଆମେ ଇତିହାସକୁ ଭୁଲିବା ଅନୁଚିତ। ଆମର ସବୁଠାରୁ ବଡ଼ ପରିଚୟ ହେଉଛି ଆମେ ‘ଭାରତୀୟ’ ଏବଂ ଦେଶର ଏକତା ପାଇଁ ଆମକୁ ସର୍ବଦା ଯତ୍ନବାନ ରହିବାକୁ ହେବ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ. ଚନ୍ଦ୍ରଶେଖର ହୋତା, ଅର୍ଗାନାଇଜର ପତ୍ରିକାର ସମ୍ପାଦକ ଶ୍ରୀ ପ୍ରଫୁଲ କେତ୍କର୍, ଦୁର୍ଗା ବାହିନୀର ରାଷ୍ଟ୍ରୀୟ ସଂଯୋଜିକା ପ୍ରଜ୍ଞା ମହଲା ଏବଂ ଭାରତୀୟ ଇତିହାସ ସଂକଳନ ସମିତିର ଅଧ୍ୟକ୍ଷ ବିକ୍ରମ କେଶରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
