ବିପଦସଙ୍କୁଳ ସ୍ଥିତିରେ ରାୟଗଡ଼ା ଅଗ୍ନିଶମ ବାହିନୀର ସାହସିକତା: ଗଞ୍ଜାବତୀ ନଦୀରୁ ଉଦ୍ଧାର ହେଲା ଅଚିହ୍ନା ମୃତଦେହ

ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ରାୟଗଡ଼ା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦଳ ନିଜ ଜୀବନକୁ ବାଜି ଲଗାଇ ଗଞ୍ଜାବତୀ ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ବିପଜ୍ଜନକ ଭୌଗୋଳିକ ସ୍ଥିତି ଏବଂ ମାଟି ଅତଡ଼ା ଖସୁଥିବା ସତ୍ତ୍ୱେ ଅଗ୍ନିଶମ ବିଭାଗର ଏହି ନିସ୍ୱାର୍ଥପର ସେବା ଓ ସାହସିକତାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।
ରାୟଗଡ଼ା: ବର୍ତ୍ତମାନର ଲଗାଣ ବର୍ଷା ଓ ନଦୀରେ ବଢ଼ି ପାଣି ଯୋଗୁଁ ସୃଷ୍ଟି ହୋଇଥିବା ଅତ୍ୟନ୍ତ ବିପଦସଙ୍କୁଳ ପରିସ୍ଥିତି ମଧ୍ୟରେ ରାୟଗଡ଼ା ଅଗ୍ନିଶମ ଓ ଜରୁରୀକାଳୀନ ସେବା କେନ୍ଦ୍ରର ଉଦ୍ଧାରକାରୀ ଦଳ ନିଜ କର୍ତ୍ତବ୍ୟନିଷ୍ଠା ତଥା ମାନବିକତାର ଉତ୍କୃଷ୍ଟ ନିଦର୍ଶନ ସୃଷ୍ଟି କରିଛନ୍ତି। ଗଞ୍ଜାବତୀ ନଦୀରୁ ଏହି ଦଳ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହକୁ ଅତ୍ୟନ୍ତ ସାବଧାନତାର ସହ ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାବତୀ ନଦୀର ନୂତନ ପୋଲ ତଳେ ବଢ଼ି ପାଣିରେ ଭାସି ଆସିଥିବା ଏକ ଅଚିହ୍ନା ମୃତଦେହ ପଥର ସନ୍ଧିରେ ଲାଖି ରହିଥିଲା। ତେବେ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ସ୍ରୋତ ପ୍ରଖର ଥିଲା। ଉଭୟ ପାର୍ଶ୍ୱରେ ମାଟି ଧସିବା ଏବଂ ତୀବ୍ର ଢାଲୁଆ ଅଞ୍ଚଳ ସୃଷ୍ଟି ହୋଇଥିବାରୁ ମୃତଦେହ ଉଦ୍ଧାର କରିବା ଆଦୌ ସହଜ ନଥିଲା।
ଖବର ପାଇ ରାୟଗଡ଼ା ଅଗ୍ନିଶମ ଓ ଜରୁରୀକାଳୀନ ସେବା କେନ୍ଦ୍ରର ଏକ ୬ ଜଣିଆ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଟିମ୍ରେ ଅଗ୍ନିଯୋଦ୍ଧା ବୈରାଗୀ ଜାନି, ରାକେଶ କୁମାର ମିଶ୍ର, ଆଲୋକ ବାରିକ, ଶଙ୍କର୍ଷଣ ବିଷୋୟୀ, ପଦ୍ମନାଭ ଗୌଡ଼ ଓ ରାଜେନ୍ଦ୍ର ନାୟକ ସାମିଲ ଥିଲେ। ଏହି ଅପରେସନ୍ LFM ଟି. ଡି. ସାହୁ ଏବଂ AFO ଏସ୍. କେ. ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ କରାଯାଇଥିଲା।
ନଦୀର ପ୍ରତିକୂଳ ପରିସ୍ଥିତି ଏବଂ ମାଟି ଅତଡ଼ା ଖସିବା ଭଳି ବିପଦ ଥିବା ସତ୍ତ୍ୱେ ଅଗ୍ନିଶମ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇଥିଲେ। ପ୍ରାୟ ୧୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ (ତଳୁ ଉପରକୁ) ଅତିକ୍ରମ କରି, ଅତ୍ୟନ୍ତ କଠିନ ପରିସ୍ଥିତିରେ ମୃତଦେହଟିକୁ ପୋଲ ଉପରକୁ ଆଣିବାରେ ସେମାନେ ସଫଳ ହୋଇଥିଲେ। ପରେ ମୃତଦେହଟିକୁ ପୋଲିସ୍ ହେପାଜତକୁ ହସ୍ତାନ୍ତର କରାଯାଇଥିଲା।
ଅଗ୍ନିଶମ ବାହିନୀର ଏହି ନିସ୍ୱାର୍ଥପର ସେବା, ମାନବିକତା ଓ ଟିମ୍ୱର୍କ ସେମାନଙ୍କ “Service Before Self” ଭାବନାକୁ ପ୍ରମାଣିତ କରିଛି। ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ଦଳର ଏହି ସାହସିକତା ପାଇଁ ସ୍ଥାନୀୟ ପ୍ରଶାସନ, ଉଚ୍ଚ କର୍ତ୍ତୃପକ୍ଷ ତଥା ସାଧାରଣ ଜନତାଙ୍କ ପକ୍ଷରୁ ସେମାନଙ୍କୁ ପ୍ରଶଂସା ପ୍ରଦାନ କରାଯିବା ଯୋଗ୍ୟ ବୋଲି ମତ ପ୍ରକାଶ ପାଇଛି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
