ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ସାଇବର ସୁରକ୍ଷା ଜନସଚେତନତା ଅଭିଯାନ: ସାମିଲ ହେଲେ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ

ସମାଜରେ ବଢ଼ୁଥିବା ସାଇବର ଅପରାଧର ମୁକାବିଲା କରିବା ପାଇଁ ଓଡ଼ିଶା ପୋଲିସ ଏବଂ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ପୋଲିସ କର୍ମଚାରୀ ଓ ଅଭିଭାବକ ସାମିଲ ହୋଇ ସାଇବର ଠକେଇରୁ ବର୍ତ୍ତିବା ଏବଂ ୧୯୩୦ ହେଲ୍ପଲାଇନ୍ ନମ୍ବରର ଉପଯୋଗ ସମ୍ପର୍କରେ ସଚେତନ ହୋଇଛନ୍ତି।
କଟକ,୧୪/୮(ଓ-ଖବର)- ସମାଜରେ ଦିନକୁ ଦିନ ବଢ଼ୁଥିବା ସାଇବର ଅପରାଧର ମୁକାବିଲା କରିବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବାନ ଡିଜିଟାଲ୍ ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଆଜି ଓଡ଼ିଶାରେ ଏକ ବୃହତ୍ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଓଡ଼ିଶା ପୋଲିସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ ସଫଳତାର ସହ ଶେଷ ହୋଇଛି।
ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ବ୍ୟାପକ ଅଭିଯାନରେ ରାଜ୍ୟର ୩୫ଟି ପୋଲିସ ଜିଲ୍ଲା ଅନ୍ତର୍ଗତ ୨୦,୦୦୦ରୁ ଅଧିକ ବିଦ୍ୟାଳୟ ଏବଂ ୨,୦୦୦ରୁ ଅଧିକ ମହାବିଦ୍ୟାଳୟ ଲାଇଭ୍ ୱେବକାଷ୍ଟ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ଏଥିରେ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀ ଅଂଶଗ୍ରହଣ କରି ସାଇବର ସଚେତନତା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି।
ସାଇବର ସୁରକ୍ଷା ଦୂତ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଛାତ୍ରଛାତ୍ରୀମାନଙ୍କୁ ସାଇବର ସୁରକ୍ଷା ନେଇ ସଚେତନ ଓ ସତର୍କ ରହିବାକୁ ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର-ସୁରକ୍ଷିତ ଓଡ଼ିଶା ଗଠନରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜରେ ସମସ୍ତଙ୍କୁ ‘ସାଇବର ସଚେତନତାର ଦୂତ’ ହେବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ପରାମର୍ଶ
ଯୁବପିଢ଼ି ଓ ସାଧାରଣ ନାଗରିକମାନଙ୍କୁ ସାଇବର ବିପଦରୁ ସୁରକ୍ଷିତ ରଖିବା ପାଇଁ ପୋଲିସ ପକ୍ଷରୁ କେତେକ ବିଶେଷ ଗାଇଡଲାଇନ୍ ଜାରି କରାଯାଇଛି:
'ଗୋଲ୍ଡେନ୍ ଆୱାର'ର ଉପଯୋଗ କରନ୍ତୁ: ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ଟୋଲ୍-ଫ୍ରି ନମ୍ବର ୧୯୩୦ ରେ ଯୋଗାଯୋଗ କରନ୍ତୁ କିମ୍ବା cybercrime.gov.in ପୋର୍ଟାଲରେ ଅଭିଯୋଗ କରନ୍ତୁ। ଯେତେ ଶୀଘ୍ର ଅଭିଯୋଗ ହେବ, ଠକେଇ ଅର୍ଥ ଫେରିପାଇବାର ସମ୍ଭାବନା ସେତେ ଅଧିକ ରହିବ।
ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ: କୌଣସି ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ କିମ୍ବା ପୋଲିସ ଅଧିକାରୀ କେବେବି ଆପଣଙ୍କୁ OTP, PIN, CVV କିମ୍ବା ପାସୱାର୍ଡ ମାଗନ୍ତି ନାହିଁ। ଏହିସବୁ ତଥ୍ୟ କାହା ସହ ସେୟାର କରନ୍ତୁ ନାହିଁ।
‘ଡିଜିଟାଲ୍ ଆରେଷ୍ଟ’ ଗୋଟିଏ ଠକେଇ: ‘ଡିଜିଟାଲ୍ ଆରେଷ୍ଟ’ ନାମରେ କେହି ଟଙ୍କା ଦାବି କଲେ ତାହା ଠକେଇ ବୋଲି ବୁଝନ୍ତୁ। କିଛି ପଇସା ଲୋଭରେ ନିଜ ବ୍ୟାଙ୍କ ଖାତା କିମ୍ବା ସିମ୍ କାର୍ଡ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ।
ବ୍ଲାକମେଲିଂର ଶିକାର ହେଲେ ଡରନ୍ତୁ ନାହିଁ: ଅନଲାଇନ୍ ବ୍ଲାକମେଲିଂର ସମ୍ମୁଖୀନ ହେଲେ ଭୟଭୀତ ହୋଇ କୌଣସି ପରିସ୍ଥିତିରେ ଟଙ୍କା ଦିଅନ୍ତୁ ନାହିଁ। ତୁରନ୍ତ ନିଜ ଅଭିଭାବକ କିମ୍ବା ପୋଲିସକୁ ଜଣାନ୍ତୁ ଏବଂ ଡିଜିଟାଲ୍ ପ୍ରମାଣ ସୁରକ୍ଷିତ ରଖନ୍ତୁ।
“ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ—ସାଇବର ସୁରକ୍ଷିତ ଓଡ଼ିଶା” ବାର୍ତ୍ତା ସହିତ ଏହି ବିଶାଳ ଅଭିଯାନର ସଫଳ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଡ. ଏନ୍. ତିରୁମାଳା ନାଏକ, କ୍ରାଇମବ୍ରାଞ୍ଚ ଡିଆଇଜି ଶ୍ରୀ ବି. ଗଙ୍ଗାଧର ଏବଂ ଡିଆଇଜି ଶ୍ରୀ ମଡକର ସନ୍ଦୀପ ସମ୍ପତଙ୍କ ସମେତ ବହୁ ବରିଷ୍ଠ ପୋଲିସ ଓ ଶିକ୍ଷା ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
