Odisha Public Khabar
Odisha Public Khabar
ରାଜ୍ୟ

୨୦୩୦ ସୁଦ୍ଧା ସମସ୍ତଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା: ଶକ୍ତି ବିଭାଗର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

O-Khabar Admin
Odisha
Share:
୨୦୩୦ ସୁଦ୍ଧା ସମସ୍ତଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା: ଶକ୍ତି ବିଭାଗର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ୧୬ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ହେବ। ଏଥିସହ ନୂତନ ୭୬୫ କେଭି ଗ୍ରୀଡ୍‌ର ରିଙ୍ଗ୍ ସିଷ୍ଟମ୍ ଏବଂ ଅନେକ ନୂଆ ୪୦୦ କେଭି ଗ୍ରୀଡ୍ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି।

ଭୁବନେଶ୍ୱର,୧୩/୮(ଓ-ଖବର)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା ଶକ୍ତି ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି। ୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି।

ନୂଆ ଗ୍ରୀଡ୍ ଓ ଲାଇନ୍: ଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ୧୫ଟି ନୂଆ ଗ୍ରୀଡ୍‌ ସବ୍‌ଷ୍ଟେସନ୍ ଏବଂ ୭୮୮.୯୯ ସର୍କିଟ୍‌ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ ସ୍ଥାପିତ ହୋଇଛି। ବର୍ତ୍ତମାନ ମୋଟ ୨୧୦ଟି ଗ୍ରୀଡ୍‌ କାର୍ଯ୍ୟକ୍ଷମ ରହିଛି।

ରିଙ୍ଗ୍ ସିଷ୍ଟମ୍ ନିର୍ମାଣ: ଗୁଣାତ୍ମକ ବିଦ୍ୟୁତ୍ ସେବା ଏବଂ ଦ୍ରୁତ ଶିଳ୍ପାୟନ ପାଇଁ ୭୬୫ କେଭି ଗ୍ରୀଡ୍‌ର ଏକ 'ରିଙ୍ଗ୍ ସିଷ୍ଟମ୍' ନିର୍ମାଣ କରାଯାଉଛି।

ଭବିଷ୍ୟତ ଯୋଜନା: ଆଗାମୀ ଦିନରେ ୩ଟି ୭୬୫/୪୦୦ କେଭି ଏବଂ ୯ଟି ନୂଆ ୪୦୦ କେଭି ଗ୍ରୀଡ୍‌ ସବ୍‌ଷ୍ଟେସନ୍ ନିର୍ମାଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ଅନୁଗୋଳ ଓ ସୁନ୍ଦରଗଡ଼ରେ ୨ଟି ୭୬୫/୪୦୦ କେଭି ଗ୍ରୀଡ୍‌ କାର୍ଯ୍ୟକ୍ଷମ ଥିବା ବେଳେ ଗୋପାଳପୁର ଓ ପାରାଦୀପରେ ଆଉ ୨ଟି ସମାନ କ୍ଷମତା ବିଶିଷ୍ଟ ଗ୍ରୀଡ଼୍ ଷ୍ଟେସନ୍ ନିର୍ମାଣ କରାଯାଉଛି। ଏହା ବ୍ୟତୀତ କୋଲାବିରା, ଡୁବୁରି ଓ ଆଠଗଡ଼ ନିକଟସ୍ଥ ବେତଖୋଲି ଠାରେ ଆଉ ୩ଟି ୭୬୫/୪୦୦ କେଭି ସବ୍‌ଷ୍ଟେସନ୍ ନିର୍ମାଣ କରିବାକୁ ଯୋଜନା ରହିଛି।

ସେହିପରି ରାଜ୍ୟରେ ବର୍ତ୍ତମାନ ୪୦୦ କେଭି ବିଶିଷ୍ଟ ୫ଟି ଗ୍ରୀଡ୍‌ ସବ୍‌ଷ୍ଟେସନ୍ କାର୍ଯ୍ୟ କରୁଥିବା ବେଳେ ୪ଟି ନିର୍ମାଣାଧୀନ ଏବଂ ୨ଟି ଟେଣ୍ଡର ପର୍ଯ୍ୟାୟରେ ରହିଛି। ଆଗକୁ ଆହୁରି ୯ଟି ୪୦୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍ ନିର୍ମାଣ ହେବ, ଯାହାଦ୍ୱାରା ଓଡ଼ିଶାରେ ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ।

ରାଜ୍ୟରେ ବିଭିନ୍ନ ଗ୍ରୀଡ୍‌ ଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ୨୦୩୦-୩୧ ସୁଦ୍ଧା ରାଜ୍ୟରେ ପ୍ରାୟ ୫୯୦ଟି ନୂଆ ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି। ଏହି ବୃହତ୍ ଶିଳ୍ପାୟନ ଏବଂ ସାଧାରଣ ଉପଭୋକ୍ତା ମାନଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରାୟ ୧୬ ହଜାର କୋଟି ଟଙ୍କାର ନୂଆ ଶକ୍ତି ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ଉନ୍ନୟନ କମିଶନର ଶ୍ରୀ ଡି.କେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ ଏବଂ OPTCL ର CMD ଶ୍ରୀ ଭାସ୍କର ଜ୍ୟୋତି ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ