Odisha Public Khabar
Odisha Public Khabar
ରାଜ୍ୟ

ମାଙ୍ଗାନିଜ ଚୋରା ଚାଲାଣ ମାମଲା: ରାୟଗଡ଼ାରେ ଗିରଫ ଏଡିଇଓ ନିଲମ୍ବିତ

O-Khabar Admin
Odisha
Share:

​ରାୟଗଡ଼ା ଜିଲ୍ଲା ଟିକିରି ବନାଞ୍ଚଳରେ ବେଆଇନ ମାଙ୍ଗାନିଜ ଖନନ ଓ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ମୀରାବାଲି ପଞ୍ଚାୟତର ଏଡିଇଓ ବିଦୁର ବାଗ୍‌ଙ୍କୁ ନିଲମ୍ବିତ କରାଯାଇଛି। ଗିରଫଦାରୀ ପରେ ରାୟଗଡ଼ା ବିଡିଓ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ରାୟଗଡ଼ା(ଓ-ଖବର)- ରାୟଗଡ଼ା ଜିଲ୍ଲା ଟିକିରି ବନାଞ୍ଚଳ ଅନ୍ତର୍ଗତ ଲେଲିଗୁମା ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ମାଙ୍ଗାନିଜ ଖନନ ଓ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଏଡିଇଓ ବିଦୁର ବାଗ୍ ଆଜି ନିଲମ୍ବିତ ହୋଇଛନ୍ତି।

​ରାୟଗଡ଼ା ବ୍ଲକ ମୀରାବାଲି ପଞ୍ଚାୟତରେ ଏଡିଇଓ ଭାବେ କାର୍ଯ୍ୟରତ ଥିବା ବିଦୁର ବାଗ୍ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ବେଳେ ବନ ବିଭାଗ ତାଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା। ସେ ଗିରଫ ହୋଇ ଜେଲ୍‌ରେ ଥିବା କାରଣରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ବୋଲି ରାୟଗଡ଼ା ବିଡିଓ ସୁଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି।

​ପ୍ରକାଶ ଥାଉ କି, ଗତ ଜୁଲାଇ ୧୬ ତାରିଖରେ ମାଙ୍ଗାନିଜ ଖନନ ଓ ଚୋରା ଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଧରପଗଡ଼ କରାଯାଇଥିଲା। ଘଟଣାସ୍ଥଳରୁ ବନ ବିଭାଗ ଗୋଟିଏ ପୋକଲେନ୍ ମେସିନ୍, ଗୋଟିଏ ହାଇବା ଟ୍ରକ୍ ସମେତ ଏକ ବାଇକ୍ ଜବତ କରିଥିଲା। ଏହି ଘଟଣାରେ କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡିର ବିଦୁର ବାଗ୍‌ଙ୍କ ସମେତ ଅନ୍ୟ ତିନି ଜଣ ଗିରଫ ହୋଇଥିଲେ।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ