Odisha Public Khabar
Odisha Public Khabar
ରାଜ୍ୟ

ରାୟଗଡ଼ାରେ ବିଜେପିର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା: ମୁଖ୍ୟ ଆକର୍ଷଣ ସାଜିଲା ୭୭ ଫୁଟର ତ୍ରିରଙ୍ଗା ଓ ସମ୍ବଲପୁରୀ ପରିଧାନ

O-Khabar Admin
Odisha
Share:
ରାୟଗଡ଼ାରେ ବିଜେପିର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା: ମୁଖ୍ୟ ଆକର୍ଷଣ ସାଜିଲା ୭୭ ଫୁଟର ତ୍ରିରଙ୍ଗା ଓ ସମ୍ବଲପୁରୀ ପରିଧାନ

ରାୟଗଡ଼ା ନଗର ବିଜେପି ସଭାପତି ରାଜେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ସହରରେ ଏକ ବିଶାଳ 'ତ୍ରିରଙ୍ଗା ଶୋଭାଯାତ୍ରା' ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ରାଲିରେ ୮ ଫୁଟ୍ ଓସାର ଓ ୭୭ ଫୁଟ୍ ଲମ୍ବର ଏକ ବିଶାଳ ତ୍ରିରଙ୍ଗା ଏବଂ ସମ୍ବଲପୁରୀ ପୋଷାକ ପରିହିତ ଛାତ୍ରୀମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶୋଭାଯାତ୍ରାଟି ସହରର ବିଭିନ୍ନ ଛକ ପରିକ୍ରମା କରିବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ନେତୃବୃନ୍ଦ, ଦଳୀୟ କର୍ମୀ ଏବଂ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।

ରାୟଗଡ଼ା,୧୨/୮(ଓ-ଖବର)- ନଗର ବିଜେପି ସଭାପତି ରାଜେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ରାୟଗଡ଼ା ସହରରେ ଏକ ବିଶାଳ 'ତ୍ରିରଙ୍ଗା ଶୋଭାଯାତ୍ରା' ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ଜ୍ୟୋତି ମହଲ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ପ୍ରତ୍ୟେକଙ୍କ ହାତରେ ଜାତୀୟ ପତାକା ଉଡ଼ୁଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ୮ ଫୁଟ ଓସାର ଓ ୭୭ ଫୁଟ ଲମ୍ବର ଏକ ବିଶାଳ ତ୍ରିରଙ୍ଗା ଏବଂ ସମ୍ବଲପୁରୀ ହସ୍ତତନ୍ତ ପୋଷାକ ପରିଧାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିବା ଛାତ୍ରୀମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନଗର ବିଜେପିର ବହୁ ପଦାଧିକାରୀ, ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଏବଂ କର୍ମୀଙ୍କ ସମେତ 'ଓରିଟେକ୍ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍'ର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। 'ଭାରତ ମାତା କି ଜୟ', 'ହର୍ ଘର୍ ତ୍ରିରଙ୍ଗା - ଘର୍ ଘର୍ ତ୍ରିରଙ୍ଗା' ଏବଂ 'ବନ୍ଦେ ମାତରଂ' ନାରା ସାଙ୍ଗକୁ ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତର ଧ୍ୱନିରେ ସମଗ୍ର ରାୟଗଡ଼ା ସହର ପ୍ରକମ୍ପିତ ହୋଇଥିଲା। ଶୋଭାଯାତ୍ରାଟି ଜ୍ୟୋତି ମହଲରୁ ବାହାରି ଚେକାଗୁଡ଼ା ରାସ୍ତା, ରିଙ୍ଗ୍ ରୋଡ୍, ଭି.କେ. ଫଙ୍କସନ୍ ହଲ୍, ହାତୀପଥର ରାସ୍ତା ଏବଂ ପୁରୁଣା ଆଇଟିଆଇ ଛକ ଦେଇ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ନଗର ସଭାପତି ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସାହସ ଓ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତ୍ରିରଙ୍ଗା ଆମ ରାଷ୍ଟ୍ରର ପରିଚୟ। ତେଣୁ ପ୍ରତ୍ୟେକ ଘର, ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଜନଜାଗରଣ ସୃଷ୍ଟି କରିବା, ଯୁବ ଓ ଛାତ୍ରସମାଜ ମଧ୍ୟରେ ରାଷ୍ଟ୍ରଭକ୍ତି ଜାଗ୍ରତ କରିବା, ସ୍ୱାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ର ନିର୍ମାତାଙ୍କ ଅବଦାନକୁ ସ୍ମରଣ କରିବା ଏବଂ "ଏକ ଭାରତ - ଶ୍ରେଷ୍ଠ ଭାରତ" ଭାବନାକୁ ସୁଦୃଢ଼ କରିବା ଆମର ମୁଖ୍ୟ ଲକ୍ଷ୍ୟ ଅଟେ। ଏହି କାର୍ଯ୍ୟକ୍ରମରେ ନଗର ସାଧାରଣ ସମ୍ପାଦକ ରାଜେଶ ନାଇଡ଼ୁ, ଅଜୟ ଚୁଲେଟ୍, ଉପସଭାପତି ରାମକୃଷ୍ଣ ପାଣିଗ୍ରାହୀ, ଦେବଗିରି ପଟ୍ଟନାୟକ, ଝରଣା ପାଣି, ଏସ୍.ସି. ମୋର୍ଚ୍ଚା ସଭାପତି ଜିତେନ୍ଦ୍ର ନାୟକ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ୟାଲା ଭେଙ୍କଟେଶ୍ବର ରାଓ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଶିବ ଉଲ୍ଲାକା, ସରକାରୀ ଓକିଲ ପଦ୍ମନାଭ ଦାଶ, ପେଦିନା ମୂରଲୀଙ୍କ ସମେତ ଅନେକ ଦଳୀୟ କର୍ମକର୍ତ୍ତା ସକ୍ରିୟ ଯୋଗଦାନ କରିଥିଲେ।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ