ଜନସେବା କେନ୍ଦ୍ରରୁ ଟଙ୍କା ଚୋରି ମାମଲା: ଅଭିଯୁକ୍ତକୁ ବର୍ଷେ ଜେଲ ଦଣ୍ଡ ଶୁଣାଇଲେ ରାୟଗଡ଼ା କୋଲନରା ଗ୍ରାମ୍ୟ ନ୍ୟାୟାଳୟ

ରାୟଗଡ଼ା ଜିଲ୍ଲା କୋଲନରା ସ୍ଥିତ ନ୍ୟାୟାଧିକାରୀ ଗ୍ରାମ୍ୟ ନ୍ୟାୟାଳୟ ତଥା ଜେଏମଏଫସି କୋର୍ଟ ଆଜି ଏକ ଚୋରି ମାମଲାର ବିଚାର କରି ଅଭିଯୁକ୍ତ ପୁକାକା ପବିତ୍ରକୁ ୧ ବର୍ଷର ସାଧାରଣ କାରାଦଣ୍ଡ ଶୁଣାଇଛନ୍ତି। ଗତ ଏପ୍ରିଲ ମାସରେ ମୁକୁନ୍ଦପୁରର ଏକ ଜନସେବା କେନ୍ଦ୍ରର କାନ୍ଥ ତାଡ଼ି ୧,୭୦,୦୦୦ ଟଙ୍କା ଚୋରି ହୋଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା' ନିକଟରୁ ୧,୨୦,୦୦୦ ଟଙ୍କା ଉଦ୍ଧାର କରିଥିଲା। ଆଜି କୋର୍ଟ ଉପଯୁକ୍ତ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଆଇପିସି ଦଫା ୪୧୧ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।
ରାୟଗଡ଼ା (୧୧ ଅଗଷ୍ଟ):
ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ଏକ ଜନସେବା କେନ୍ଦ୍ରରୁ ଟଙ୍କା ଚୋରି ମାମଲାରେ ଆଜି କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନ୍ୟାୟାଧିକାରୀ ଗ୍ରାମ୍ୟ ନ୍ୟାୟାଳୟ ତଥା ଜେଏମଏଫସି (JMFC) କୋଲନରା, ରାୟଗଡ଼ାର ବିଚାରପତି ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ଏହି ମାମଲାର ବିଚାର କରି ପଦ୍ମପୁର (ମୁକୁନ୍ଦପୁର) ଗ୍ରାମର ଅଭିଯୁକ୍ତ ପୁକାକା ପବିତ୍ରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତୀୟ ପିଙ୍ଗଳ କୋଡ୍ (IPC) ର ଦଫା ୪୧୧ ଅନୁଯାୟୀ ଅଭିଯୁକ୍ତକୁ ୧ ବର୍ଷର ସାଧାରଣ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। (ଜିଆର(ଜିଏନ) କେସ୍ ନମ୍ବର-୪୭/୨୦୨୪, ଚାନ୍ଦିଲି ଥାନା କେସ୍ ନମ୍ବର-୧୧୧ ତା. ୧୮/୦୪/୨୦୨୪ ଅନୁଯାୟୀ ୪୫୭/୩୮୦/୪୧୧ ଦଫାରେ ମାମଲା ରୁଜୁ ହୋଇଥିଲା)।
ମୁକୁନ୍ଦପୁର ଗ୍ରାମର ଲକ୍ଷ୍ମଣ ବେହେରା ନିଜର ତିନି ଜଣ ଅଂଶୀଦାରଙ୍କ ସହ ମିଶି ଗାଁ ମୁଖ୍ୟ ରାସ୍ତାରେ ଏକ ଜନସେବା କେନ୍ଦ୍ର ଚଳାଉଥିଲେ। ଗତ ୧୭ ଏପ୍ରିଲ ୨୦୨୪ ତାରିଖ ସନ୍ଧ୍ୟାରେ ଦୈନନ୍ଦିନ କାରବାର ସରିବା ପରେ ସେମାନେ ନଗଦ ୧,୭୦,୦୦୦ ଟଙ୍କା ଡ୍ରୟରରେ ରଖି ତାଲା ପକାଇ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ତହିଁ ପରଦିନ ସକାଳ ପ୍ରାୟ ୯ଟା ସମୟରେ ଲକ୍ଷ୍ମଣ ଦୋକାନ ଖୋଲି ଦେଖିବା ବେଳକୁ ଡ୍ରୟରରେ ଟଙ୍କା ନଥିଲା ଏବଂ କେହି ଦୁର୍ବୃତ୍ତ ତାହା ଚୋରି କରି ନେଇଯାଇଥିଲା। ଦୋକାନର ପଛପଟ କାନ୍ଥକୁ ଖୋଳାଯାଇ ଏକ ବଡ଼ କଣା କରାଯାଇଥିବା ସେ ଦେଖିବାକୁ ପାଇଥିଲେ। ତୁରନ୍ତ ଘଟଣାସ୍ଥଳର ଭିଡିଓଗ୍ରାଫି କରିବା ସହ ସେ ଚାନ୍ଦିଲି ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ।
ପୋଲିସର ତଦନ୍ତ ଓ କୋର୍ଟ ରାୟ:
ଏହି ଘଟଣାରେ ଚାନ୍ଦିଲି ଥାନାର ତଦନ୍ତକାରୀ ଅଧିକାରୀ ଆଶୁତୋଷ ସାହୁ ତଦନ୍ତ ଆରମ୍ଭ କରିଥିଲେ। ପୋଲିସର ତଦନ୍ତ ସମୟରେ ଅଭିଯୁକ୍ତ ପୁକାକା ପବିତ୍ରର ଘରୁ ଚୋରି ହୋଇଥିବା ଟଙ୍କା ମଧ୍ୟରୁ ୧,୨୦,୦୦୦ ଟଙ୍କା ଉଦ୍ଧାର କରାଯାଇଥିଲା। ସମସ୍ତ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଆଜି ଅଭିଯୁକ୍ତକୁ ବର୍ଷକ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସହକାରୀ ପବ୍ଲିକ୍ ପ୍ରସିକ୍ୟୁଟର ଦେବାଶିଷ ପଟ୍ଟନାୟକ ଏବଂ ସିଏଚ. ନିର୍ମଳା ରାଜୁ ଦୃଢ଼ତାର ସହ ପରିଚାଳନା କରୁଥିଲେ।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
