ଛତିଶଗଡ଼ର ଏନଓସି ଅଭାବରୁ ନବରଙ୍ଗପୁର ଜଳସେଚନ ପ୍ରକଳ୍ପ ପ୍ରସ୍ତାବ ଫେରାଇଲେ କେନ୍ଦ୍ର ସରକାର; ଅପର ଇନ୍ଦ୍ରାବତୀ ପାଇଁ ମିଳିଛି ୧୮ କୋଟି

ଲୋକସଭାରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପ ଏବଂ ନବରଙ୍ଗପୁର ଜିଲ୍ଲାରେ ଜଳସେଚନ ସମସ୍ୟାକୁ ନେଇ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ନୂଆ ତଥ୍ୟ ରଖିଛନ୍ତି। ନବରଙ୍ଗପୁର ଜଳସେଚନ ପ୍ରକଳ୍ପ ପାଇଁ ଛତିଶଗଡ଼ ସରକାରଙ୍କଠାରୁ ଆବଶ୍ୟକୀୟ ଏନଓସି ନମିଳିବାରୁ ଏହି ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗ ଗତ ୩୧.୦୧.୨୦୨୪ ତାରିଖରେ ଓଡ଼ିଶା ସରକାରଙ୍କୁ ଫେରାଇ ଦେଇଛନ୍ତି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ୧୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମିଳିଛି।
ନୂଆଦିଲ୍ଲୀ/ନବରଙ୍ଗପୁର: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ଏବଂ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଜଳସେଚନକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ।
୩୦ ଜୁଲାଇ ୨୦୨୬ ରେ ଲୋକସଭାରେ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ପ୍ରଶ୍ନ ନମ୍ବର ୧୯୬୪ ର ଉତ୍ତର ଦେଇ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜ ଭୂଷଣ ଚୌଧୁରୀ ଏହି ପ୍ରସଙ୍ଗରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।
ନବରଙ୍ଗପୁର ଜଳସେଚନ ପ୍ରକଳ୍ପ ପାଇଁ ଏକ ପ୍ରସ୍ତାବ କେନ୍ଦ୍ର ଜଳ ଆୟୋଗ ନିକଟକୁ ବୈଷୟିକ ସମୀକ୍ଷା ପାଇଁ ପଠାଯାଇଥିଲା। ପ୍ରାଥମିକ ସମୀକ୍ଷା ପରେ ଛତିଶଗଡ଼ ସରକାରଙ୍କଠାରୁ ଆବଶ୍ୟକ ଥିବା ଏନଓସି ପ୍ରଦାନ କରିବାକୁ କେନ୍ଦ୍ର ଜଳ ଆୟୋଗ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଆବଶ୍ୟକୀୟ ଏନଓସି ନମିଳିବାରୁ ଏହି ପ୍ରକଳ୍ପ ପ୍ରସ୍ତାବକୁ ଗତ ୩୧ ଜାନୁଆରୀ ୨୦୨୪ ତାରିଖରେ ଓଡ଼ିଶା ସରକାରଙ୍କୁ ଫେରାଇ ଦିଆଯାଇଛି।
ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଜଳସେଚନ ଏକ ରାଜ୍ୟସ୍ତରୀୟ ବିଷୟ ଏବଂ ଓଡ଼ିଶା ସରକାରଙ୍କ ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲାରେ ଉପଲବ୍ଧ ୧.୮୫ ଲକ୍ଷ ହେକ୍ଟର ଚାଷୋପଯୋଗୀ ଜମି ମଧ୍ୟରୁ ମାର୍ଚ୍ଚ ୨୦୨୬ ସୁଦ୍ଧା ପ୍ରାୟ ୧.୨୬ ଲକ୍ଷ ହେକ୍ଟର ଜମି ପାଇଁ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି। ଜିଲ୍ଲାରେ ୯୧୩୫ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ତୁରୀ-ଗୁଣ୍ଟାଟ ଜଳସେଚନ ପ୍ରକଳ୍ପ ସମେତ ୧୯୨୪୭ ହେକ୍ଟର କ୍ଷମତା ବିଶିଷ୍ଟ ଦୁଇଟି ମେଗା ଲିଫ୍ଟ କ୍ଲଷ୍ଟର ଏବଂ ୨୦୦୦ ହେକ୍ଟର କ୍ଷମତା ବିଶିଷ୍ଟ ୪ଟି ଲୋ-ହାଇଟ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହା ସହିତ ଡାଉନଷ୍ଟ୍ରିମରେ ସର୍ବନିମ୍ନ ୭ କ୍ୟୁମେକ୍ସ ଜଳ ଛାଡ଼ିବା ନିୟମକୁ ମଧ୍ୟ ରାଜ୍ୟ ସରକାର ପାଳନ କରୁଛନ୍ତି ବୋଲି ଲୋକସଭାରେ ସୂଚନା ଦିଆଯାଇଛି।
କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (PMKSY-AIBP) ଅଧୀନରେ ଓଡ଼ିଶାର ୮ଟି ପ୍ରମୁଖ ଓ ମଧ୍ୟମ ଜଳସେଚନ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ସମୁଦାୟ ୧୪୪୨.୮୫ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ରହିଥିବାବେଳେ ଗତ ୧୦ ବର୍ଷ ମଧ୍ୟରେ ୧୨୦୮.୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ କେବଳ ଅପର ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ୧୮ କୋଟି ଟଙ୍କାର ସହାୟତା ମିଳିଛି। ସୂଚନାଯୋଗ୍ୟ ଯେ, ମୂଳ ଡିପିଆର (DPR) ଏବଂ ୧୯୭୫ ଇନ୍ଦ୍ରାବତୀ ଜଳ ଚୁକ୍ତିନାମା ଅନୁଯାୟୀ କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ଜଳସେଚନ ବିକାଶର ବ୍ୟବସ୍ଥା ରହିଥିଲା, ଯାହା ଅଧୀନରେ ରାଜ୍ୟ ସରକାର ମେଗା ଲିଫ୍ଟ ଏବଂ କ୍ୟାପେକ୍ସ (CAPEX) ଭଳି ଯୋଜନା ହାତକୁ ନେଇଛନ୍ତି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
