ସିଜିମାଳିରେ'ମା' ମାଟି ମାଳି ସୁରକ୍ଷା ମଞ୍ଚ' ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ: ଖଣି ଖନନ ବିରୋଧରେ ଗର୍ଜିଲେ ହଜାର ହଜାର ଆଦିବାସୀ

ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ସିଜିମାଳି ଅଞ୍ଚଳରେ “ମା' ମାଟି ମାଳି ସୁରକ୍ଷା ମଞ୍ଚ” ଆନୁକୂଲ୍ୟରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ପ୍ରସ୍ତାବିତ ଖଣି ଖନନ ଏବଂ କମ୍ପାନୀଗୁଡ଼ିକର ମନମୁଖୀ କାର୍ଯ୍ୟକଳାପକୁ ଦୃଢ଼ ବିରୋଧ କରିଥିଲେ। ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ଏକ ବିଶାଳ ଶୋଭାଯାତ୍ରା କରାଯିବା ସହ ଆଗାମୀ ଦିନରେ ନିଜ ହକ୍ ପାଇଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦିଆଯାଇଛି।
ରାୟଗଡା,୯/୮ (ଓ-ଖବର)- ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଚର୍ଚ୍ଚିତ ସିଜିମାଳି ଅଞ୍ଚଳରେ “ମା' ମାଟି ମାଳି ସୁରକ୍ଷା ମଞ୍ଚ” ପକ୍ଷରୁ ରବିବାର ଦିନ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ରାୟଗଡ଼ା-କଳାହାଣ୍ଡି ଜିଲ୍ଲା ସୀମାନ୍ତ କାଶୀପୁର ବ୍ଲକର ସୁଙ୍ଗେର ପଞ୍ଚାୟତ ଅଞ୍ଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ସଂପ୍ରଦାୟର ଲୋକେ ଏକତ୍ରିତ ହୋଇ ନିଜର ଏକତା ଓ ଶକ୍ତି ପ୍ରଦର୍ଶନ କରିଛନ୍ତି।
ମା' ମାଟି ମାଳି ସୁରକ୍ଷା ମଞ୍ଚର ସଭାପତି ସୁବାସ ସିଂ ମାଝୀଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ସମାବେଶରେ ସ୍ଥାନୀୟ ବିସ୍ଥାପିତ ଓ ଖଣି ଖନନ ଦ୍ୱାରା ପ୍ରଭାବିତ ଶତାଧିକ ପରିବାର ଅଂଶଗ୍ରହଣ କରିଥିଲେ। ଆଦିବାସୀମାନେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିଭିନ୍ନ କମ୍ପାନୀ ବିରୋଧରେ ଗର୍ଜନ କରିବା ସହ ବନ୍ତେଜିରୁ ବାହାରି ସୁଙ୍ଗେର ପଞ୍ଚାୟତ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ।
ଶୋଭାଯାତ୍ରା ପରେ ଅନୁଷ୍ଠିତ ଆଲୋଚନା ସଭାରେ ସିଜିମାଳି ଅଞ୍ଚଳରେ ପ୍ରସ୍ତାବିତ ଖଣି ଖନନ ଏବଂ କମ୍ପାନୀଗୁଡ଼ିକର ମନମୁଖୀ କାର୍ଯ୍ୟକଳାପକୁ ଦୃଢ଼ ବିରୋଧ କରାଯାଇଥିଲା। 'ଜଳ, ଜଙ୍ଗଲ, ଜମି' ଏବଂ ନିଜର ମାଟିକୁ ସୁରକ୍ଷା ଦେବା ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସମାଜବାଦୀ ଜନ ପରିଷଦର ସଦସ୍ୟ ଅଫଲାଥୁନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ସଭାପତି ସୁବାସ ସିଂ ମାଝୀ, ସନାତନ ପ୍ରଧାନ, ବିଭୀଷଣ ମାଝୀ, କାର୍ତ୍ତିକ ନାୟକ, ଉପେନ୍ଦ୍ର ଦ୍ରାବିଡ଼, ପୁରୁଷୋତ୍ତମ ବେହେରା, ଧନୁଞ୍ଜୟ ଦ୍ୱୀପ, କାମେଶ ନାଗ, ହୀରାମଲ ନାୟକ, କୁମ୍ବେଶ୍ବରୀ ନାୟକ, ଲଖଣ ନାୟକ, ଜଳେଶ୍ୱର ନାୟକ ଓ ପଦମନ ନାୟକ ପ୍ରମୁଖ ଉଦ୍ବୋଧନ ଦେଇ ଆଦିବାସୀଙ୍କ ହକ୍ ଓ ସୁରକ୍ଷା ପାଇଁ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଓ ଉପସ୍ଥାପନା ଗୋବିନ୍ଦ ନାୟକ ଓ ସନ୍ତୋଷ ନାୟକ କରିଥିଲେ।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
