ରାୟଗଡ଼ା ୱାକର୍ସ କ୍ଲବ୍ ତରଫରୁ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା: ଶ୍ରୀୟାଶ୍ରୀତ ପରିଡ଼ା ପ୍ରଥମ

୮୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ ରାୟଗଡ଼ା ୱାକର୍ସ କ୍ଲବ୍ ଆନୁକୂଲ୍ୟରେ ଏକ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହରର ୯ଟି ବିଦ୍ୟାଳୟରୁ ୨୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶ୍ରୀୟାଶ୍ରୀତ ପରିଡ଼ା ପ୍ରଥମ ସ୍ଥାନ ହାସଲ କରିଛନ୍ତି।
ରାୟଗଡ଼ା,୯/୮(ଓ-ଖବର)- ୮୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ ରାୟଗଡ଼ା ୱାକର୍ସ କ୍ଲବ୍ ଆନୁକୂଲ୍ୟରେ ପ୍ରେମ ପାହାଡ଼ସ୍ଥିତ କମୁନିଟି ହଲ୍ଠାରେ ଏକ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ୱାକର ଶ୍ରୀ ବ୍ରଜ ସୁନ୍ଦର ନାୟକଙ୍କ ପୌରୋହିତ୍ୟରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଏହି ପ୍ରତିଯୋଗିତାରେ ରାୟଗଡ଼ା ସହରର ୯ଟି ଉଚ୍ଚ ବିଦ୍ୟାଳୟରୁ ମୋଟ ୨୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ସଙ୍ଗୀତ ପ୍ରତିଭା ପ୍ରଦର୍ଶନ କରିଥିଲେ।
କୃତୀ ପ୍ରତିଯୋଗୀ:
ପ୍ରଥମ: ଶ୍ରୀୟାଶ୍ରୀତ ପରିଡ଼ା (ନବମ ଶ୍ରେଣୀ, ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ)
ଦ୍ୱିତୀୟ: ଆକାଶ ରଞ୍ଜନ ପାଢ଼ୀ (ଦଶମ ଶ୍ରେଣୀ, ସାକ୍ରେଡ୍ ହାର୍ଟ ବିଦ୍ୟାଳୟ)
ତୃତୀୟ: ଆଶୁତୋଷ ପ୍ରଧାନ (ସାକ୍ରେଡ୍ ହାର୍ଟ ବିଦ୍ୟାଳୟ)
ସାନ୍ତ୍ୱନାମୂଳକ: ପ୍ରଜ୍ଞା ନାୟକ (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର)
କାର୍ଯ୍ୟକ୍ରମରେ ୱାକର ଶ୍ରୀ ଉଦୟ ଚନ୍ଦ୍ର ପଣ୍ଡା, ୱାକର ଶ୍ରୀ ସୁବାସ ଚନ୍ଦ୍ର ରଥ ଏବଂ ଶ୍ରୀ ଶିବ ପ୍ରସାଦ ମିଶ୍ର ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ବିଚାରପତି ଶ୍ରୀ ଶିବ ପ୍ରସାଦ ମିଶ୍ର ଭିନ୍ନ ଭିନ୍ନ ଢଙ୍ଗରେ ଲୋକପ୍ରିୟ "ରଙ୍ଗବତୀ" ଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କ ମନ ମୋହିଥିଲେ। ଶେଷରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ୍, ସିଲ୍ଡ ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
