Odisha Public Khabar
Odisha Public Khabar
ରାଜ୍ୟ

ଜ୍ୱର, ଝାଡ଼ା ଓ ବାନ୍ତିରେ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

O-Khabar Admin
Odisha
Share:
ଜ୍ୱର, ଝାଡ଼ା ଓ ବାନ୍ତିରେ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଦୁର୍ଗୀସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଭୂମିକା ଗଣ୍ଟା (୧୭)ଙ୍କର ଜ୍ୱର, ଝାଡ଼ା ଓ ବାନ୍ତି ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସମୟାନୁସାରେ ଉପଯୁକ୍ତ ଚିକିତ୍ସା କରାଯାଇନଥିବାରୁ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରୀଙ୍କ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ବିଷମକଟକ,୭/୮(ଓ-ଖବର)- ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଦୁର୍ଗୀସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ଲାଞ୍ଜିମପଦର ଗ୍ରାମର ପୂର୍ଣ୍ଣ ଗଣ୍ଟାଙ୍କ ଝିଅ ଭୂମିକା ଗଣ୍ଟା (୧୭)।

ସୂଚନା ଅନୁଯାୟୀ, ଭୂମିକା ଉକ୍ତ ବିଦ୍ୟାଳୟର ଛାତ୍ରାବାସରେ ରହି ପାଠ ପଢ଼ୁଥିଲେ। ଗତ ୫ ତାରିଖରେ ତାଙ୍କୁ ଜ୍ୱର ହୋଇଥିଲା। ଏହାପରେ ହଷ୍ଟେଲ୍ ୱାର୍ଡେନ୍ ତାଙ୍କୁ ଦୁର୍ଗୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ପୁଣି ଛାତ୍ରାବାସକୁ ଫେରାଇ ଆଣିଥିଲେ। କିନ୍ତୁ ଗତକାଲି ମଧ୍ୟରାତ୍ରିରେ ଭୂମିକାଙ୍କୁ ଜ୍ୱର ସାଙ୍ଗକୁ ଝାଡ଼ା ଓ ବାନ୍ତି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁନର୍ବାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚିବା ପରେ ଭୂମିକାଙ୍କୁ ପ୍ରଥମେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନୀୟ ଖ୍ରୀଷ୍ଟିୟାନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ତେବେ ଛାତ୍ରାବାସ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କ ବୁଝାସୁଝା ପରେ ପରିବାର ଲୋକେ ଶାନ୍ତ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଆମ୍ବୁଲାନ୍ସ ଯୋଗେ ଛାତ୍ରୀଙ୍କ ମୃତଦେହକୁ ନିଜ ଗ୍ରାମ ଲାଞ୍ଜିମପଦରକୁ ନିଆଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ