ଚାଷ ଜମିକୁ ନେଇ ଭାଇ ଭାଇ ମଧ୍ୟରେ ବିବାଦ: ଭାଉଜଙ୍କୁ ମାଡ଼ ମାରି ଗୁରୁତର ଆହତ କଲେ ଦିଅର ଓ ତାଙ୍କ ପରିବାର, ଥାନାରେ ଅଭିଯୋଗ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ କତାଗୁଡ଼ା ଗ୍ରାମରେ ଚାଷ ଜମି ମାଲିକାନାକୁ ନେଇ ଏକ ପାରିବାରିକ ବିବାଦ ଉଗ୍ର ରୂପ ନେଇଛି। ଜମିରେ କାମ କରୁଥିବା ସମୟରେ ପୂର୍ଣ୍ଣ ପାଲାକା ନାମକ ଜଣେ ମହିଳାଙ୍କୁ ତାଙ୍କ ଦିଅର ପତି ପାଲାକା ଏବଂ ତାଙ୍କ ପରିବାର ସଦସ୍ୟ ମାଡ଼ ମାରି ଗୁରୁତର ଆହତ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
କଲ୍ୟାଣସିଂହପୁର,୭/୮ (ଓ-ଖବର)-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ କତାଗୁଡ଼ା ଗ୍ରାମରେ ଚାଷ ଜମିକୁ କେନ୍ଦ୍ର କରି ଏକ ପରିବାର ମଧ୍ୟରେ ହିଂସାତ୍ମକ ଘଟଣା ଘଟିଛି। ଏହି ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଦିଅର ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ପୂର୍ଣ୍ଣ ପାଲାକା ନିଜ ଚାଷ ଜମିରେ କାମ କରୁଥିବା ସମୟରେ ତାଙ୍କ ଦିଅର ପତି ପାଲାକା, ଦିଅରାଣୀ ଦେବନ୍ତି ପାଲାକା ଏବଂ ପୁଅ ଦୁର୍ଗାପ୍ରସାଦ ପାଲାକା ସେଠାରେ ପହଞ୍ଚି ଜମି ମାଲିକାନାକୁ ନେଇ ବଚସା କରିଥିଲେ। ସେମାନେ ଉକ୍ତ ଜମି ନିଜର ବୋଲି ଦାବି କରିବା ସହ ପୂର୍ଣ୍ଣ ପାଲାକାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ତାଙ୍କୁ ମାଡ଼ ମାରି ଚାଷ ଜମିରେ ଫିଙ୍ଗି ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ କୁହାଯାଇଛି।
ଘଟଣା ପରେ ଆହତ ମହିଳାଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେବା ମିଳିବାରେ ବିଳମ୍ବ ହୋଇଥିଲା। ପରେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା। କଲ୍ୟାଣସିଂହପୁର ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ସଞ୍ଜୟ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ ପୋଲିସ ଗାଡ଼ିରେ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ ଏହି ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
