କଲ୍ୟାଣସିଂହପୁରରେ ଗାଁ ମୁହାଁ ୨ ଜଙ୍ଗଲୀ ହାତୀ: ବ୍ୟାପକ ଫସଲ ନଷ୍ଟ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

କଲ୍ୟାଣସିଂହପୁର,୬/୮(ଓ-ଖବର)-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ କେଶବ ନାୟକ ଗୁଡ଼ା (ନୂଆ ସାହି) ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବୁଧବାର ବିଳମ୍ବିତ ରାତିରେ ୨ଟି ଜଙ୍ଗଲୀ ହାତୀ ଗାଁ ନିକଟକୁ ଚାଲିଆସି ବ୍ୟାପକ ଫସଲ ନଷ୍ଟ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ନିୟମଗିରିର କୃଷମୁଇଁ ଗାଁ ନିକଟରେ ଏକ ହାତୀପଲ ବିଚରଣ କରୁଥିଲେ। ତେବେ ସେହି ପଲରୁ ୨ଟି ହାତୀ ଅଲଗା ହୋଇ କେଶବ ନାୟକ ଗୁଡ଼ା ନୂଆ ସାହି ଓ ଘାଗୁଡ଼ିମାଳର ଲହରା ସାହି ଆଡ଼କୁ ମାଡ଼ି ଆସିଥିଲେ। ହଠାତ୍ ଗାଁ ନିକଟରେ ହାତୀ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। କେଶବ ନାୟକ ଗୁଡ଼ା ନୂଆ ସାହିରେ ଚାଷୀଙ୍କ ଦ୍ୱାରା ଲଗାଯାଇଥିବା କପା ଓ ଚଣା ଗଛକୁ ହାତୀ ଦଳି ଦେଇଛନ୍ତି। ସେହିପରି ଘାଗୁଡ଼ିମାଳ (ଲହରା ସାହି)ରେ ନୂଆ କରି ରୋପଣ କରାଯାଇଥିବା ଧାନ କ୍ଷେତରେ ପଶି ଫସଲ ନଷ୍ଟ କରିଦେଇଛନ୍ତି। ଗୁରୁବାର ସକାଳୁ ଖବର ପାଇ ବନ ବିଭାଗର ଫରେଷ୍ଟର ଭଗବାନ ସାରାକା ଓ ତାଙ୍କ ସହକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଆବଶ୍ୟକୀୟ ନଥିପତ୍ର ପ୍ରଦାନ କଲେ, ତାହାକୁ ସରକାରଙ୍କ ନିକଟକୁ ପଠାଯାଇ ନିୟମାନୁସାରେ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ଘାଗୁଡ଼ିମାଳ ସମେତ ଆଖପାଖ ଗାଁଗୁଡ଼ିକରେ ହାତୀ ଆତଙ୍କ ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ଏବଂ ହାତୀଙ୍କର କୌଣସି ଗତିବିଧି ଦେଖିଲେ ଅବିଳମ୍ବେ ଖବର ଦେବା ପାଇଁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
