ସ୍କୁଲ ହଷ୍ଟେଲରେ ରାଗିଂର କରୁଣ ଚିତ୍ର: ନବମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ରଙ୍କ ନିସ୍ତୁକ ମାଡ଼, ପ୍ରଧାନ ଶିକ୍ଷକଙ୍କ ଥାନାରେ ଏତଲା

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରିଭଲକଣା ସ୍ଥିତ ସରକାରୀ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ଦଶମ ଶ୍ରେଣୀର କିଛି ଛାତ୍ର ଅଷ୍ଟମ ଓ ନବମ ଶ୍ରେଣୀର ପିଲାଙ୍କୁ ନିସ୍ତୁକ ମାଡ଼ ମାରିଥିବାର ଏକ ମୋବାଇଲ୍ ଭିଡିଓ ସାମ୍ନାକୁ ଆସିଛି। କ୍ରିକେଟ୍ ଖେଳ ଓ ରୋଲ୍ କଲ୍ ବାହାନାରେ ପ୍ରାୟ ୩୦ ଜଣ ପିଲାଙ୍କୁ ବ୍ୟାଟ୍ ଓ ବାଡ଼ିରେ ମାଡ଼ ମାରିବା ଘଟଣାକୁ ପିଲାମାନେ ଭୟରେ ଲୁଚାଇଥିବା ବେଳେ ତିନି ଦିନ ପରେ ସ୍କୁଲ କର୍ତ୍ତୃପକ୍ଷ ଏହା ଜାଣିବାକୁ ପାଇଥିଲେ। ଏହି ରାଗିଂ ଘଟଣାରେ ମାଡ଼ ମାରିଥିବା ଅଭିଯୁକ୍ତ ଦଶମ ଶ୍ରେଣୀ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର (ରଷ୍ଟିକେଟ୍) କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଚାନ୍ଦିଲି ଥାନାରେ ଲିଖିତ ଏତଲା ଦେଇଛନ୍ତି।
ରାୟଗଡ଼ା/କଲ୍ୟାଣସିଂହପୁର,୪/୮(ଓ-ଖବର)- ରାୟଗଡ଼ା ଜିଲ୍ଲାରେ ଏବେ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନଚିହ୍ନ ଠିଆ ହୋଇଛି। ହଷ୍ଟେଲ ଭିତରେ ସିନିୟର ଛାତ୍ରଙ୍କ ଦାଦାଗିରି ଓ ରାଗିଂର ଏକ ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି। ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ଠାରେ ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟରେ ଗତ ଶନିବାର ଓ ରବିବାର ହଷ୍ଟେଲ ଭିତରେ ଦଶମ ଶ୍ରେଣୀର କିଛି ଛାତ୍ର ନବମ ଓ ଅଷ୍ଟମ ଶ୍ରେଣୀର କୋମଳମତି ପିଲାଙ୍କୁ ନଡ଼ିଆ ଗଛ ବାଙ୍ଗୁଆ, ବାଡ଼ିରେ ମାଡ଼ ମାରିବା ସହିତ ଗୋଇଠା ମାରି ଅମାନୁଷିକ ଭାବେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସ୍କୁଲ ପରିସରରେ ହିଁ ହଷ୍ଟେଲ ରହିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ଏହି ଘଟଣା ସମ୍ପର୍କରେ ତିନି ଦିନ ପର୍ଯ୍ୟନ୍ତ କିଛି ଜାଣିପାରିନଥିଲେ। ଏହି ମାଡ଼ ମାରିବା ସମୟର ଦୃଶ୍ୟକୁ କେହି ମୋବାଇଲ୍ରେ ରେକର୍ଡ କରିଥିଲେ। ସେହି ମୋବାଇଲ୍ ଭିଡିଓ ଏବେ ସତ୍ୟକୁ ସାମ୍ନାକୁ ଆଣିବା ସହ ସମଗ୍ର ଘଟଣାର ପର୍ଦ୍ଦାଫାସ କରିଛି। ହେଲେ ହଷ୍ଟେଲ ଭିତରକୁ ପିଲାଙ୍କ ପାଖକୁ ମୋବାଇଲ୍ ଆସିଲା କିପରି, ତାହା ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରଶାସନିକ ସଚେତନତା ଉପରେ ପ୍ରଶ୍ନ ଉଠାଇଛି। ଏନେଇ ମାଡ଼ ଖାଇଥିବା ନବମ ଶ୍ରେଣୀ ଛାତ୍ରଙ୍କୁ ପଚାରିବାରୁ "କ୍ରିକେଟ୍ ଖେଳ ଓ ରୋଲ୍ କଲ୍ ବାହାନାରେ ସିନିୟର୍ ଛାତ୍ର ସେମାନଙ୍କୁ ମାରିଥିବା କହିଛନ୍ତି। ପୀଡ଼ିତ ନବମ ଶ୍ରେଣୀର ଛାତ୍ରମାନେ ନିଜର କୋହଭରା କଣ୍ଠରେ କହିଛନ୍ତି ଯେ, ଶନିବାର ସେମାନେ କ୍ରିକେଟ୍ ଖେଳୁଥିଲେ। ସ୍କୁଲରେ ସଫେଇ କାର୍ଯ୍ୟ ପାଇଁ ଘଣ୍ଟି ବାଜିଥିଲା। ହେଲେ ସେମାନେ ଖେଳୁଥିବା କାରଣରୁ ସଫେଇ କାର୍ଯ୍ୟ ପାଇଁ ଯାଇନଥିଲେ। ହେଲେ ରୋଲ୍ କଲ୍ରେ ଉପସ୍ଥିତ ନହେବା କାରଣ ଦର୍ଶାଇ ଦଶମ ଶ୍ରେଣୀର ଲିଙ୍ଗରାଜ କାଡ୍ରାକା ଓ ତାଙ୍କ ସହଯୋଗୀମାନେ ଅଷ୍ଟମ ଓ ନବମ ଶ୍ରେଣୀର ପ୍ରାୟ ୩୦ ଜଣ ଛାତ୍ରଙ୍କୁ ଡାକିଥିଲେ। ସେଠାରେ ନଡ଼ିଆ ବାଙ୍ଗୁଆ ଓ ବାଡ଼ିରେ ବିସ୍ତୃତ ଭାବେ ମାଡ଼ ମାରିଥିଲେ। ଦଶମ ଶ୍ରେଣୀର ଈଶ୍ୱର, ବେଦବ୍ୟାସ, ତରୁଣ, ହେମନ୍ତ, ମୁକେଶ, ସିନ୍ଧୁ, ପ୍ରଭାସ ଓ ଅମିତ ପ୍ରମୁଖ ଏହି ମାଡ଼ ମାରିବାରେ ସହଯୋଗ କରିଥିବା ପୀଡ଼ିତ ଛାତ୍ରମାନେ ପ୍ରକାଶ କରିଛନ୍ତି। ଭୟରେ କାହାକୁ କିଛି ନ କହିବା ପାଇଁ ସିନିୟର ଛାତ୍ରମାନେ ଧମକ ଦେଇଥିବାରୁ ସେମାନେ ଶିକ୍ଷକଙ୍କୁ ଜଣାଇନଥିଲେ। ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ଡମ୍ବରୁଧର ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, "ଆମେ ପ୍ରତି ଶୁକ୍ରବାର ଓ ଶନିବାର ପିଲାଙ୍କ କାଉନସେଲିଂ କରୁ। କିନ୍ତୁ ଭୟଭୀତ ହୋଇ ପିଲାମାନେ ଆମକୁ କିଛି କହିନଥିଲେ। ଆଜି ଘଟଣା ଜାଣିବା ପରେ ଆମେ ତୁରନ୍ତ କାଉନସେଲିଂ ଆରମ୍ଭ କରିବା ସହ ମାଡ଼ ମାରିଥିବା ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରିଛୁ। ଘଟଣାଟି ଗମ୍ଭୀର ରୂପ ନେବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ସାଉନ୍ତା ଚାନ୍ଦିଲି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସ୍କୁଲ କ୍ୟାମ୍ପସ୍ ଭିତରେ ଏଭଳି ମାଡ଼ ମାରିବା ଓ ଅମାନୁଷିକ ରାଗିଂ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସ୍କୁଲ ପରିସରରେ ମୋବାଇଲ ରଖିବାକୁ ଅନୁମତି ନଥିବା ବେଳେ ହଷ୍ଟେଲରେ ମୋବାଇଲ କିଭଳି ପହଞ୍ଚିଲା ଏବଂ ସ୍କୁଲ ପରିସରରେ ଶିକ୍ଷକ ମାନେ ରହି ମଧ୍ୟ କିଭଳି କିଛି ଜାଣିପାରିଲେ ନାହିଁ ତାହା ତଦନ୍ତ ସାପେକ୍ଷ ।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
