Odisha Public Khabar
Odisha Public Khabar
ରାଜ୍ୟ

ସେମିଳିଗୁଡ଼ାରେ ବିପୁଳ ପରିମାଣର ନିଶା ଇଞ୍ଜେକ୍ସନ୍ ଜବତ: ବେଆଇନ କାରବାର ଅଭିଯୋଗରେ ୪ ଗିରଫ

O-Khabar Admin
Odisha
Share:
ସେମିଳିଗୁଡ଼ାରେ ବିପୁଳ ପରିମାଣର ନିଶା ଇଞ୍ଜେକ୍ସନ୍ ଜବତ: ବେଆଇନ କାରବାର ଅଭିଯୋଗରେ ୪ ଗିରଫ

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଅଞ୍ଚଳରେ ବେଆଇନ ନିଶା କାରବାର ଉପରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ବେଆଇନ ଭାବେ ନିଶା ଇଞ୍ଜେକ୍ସନ ବିକ୍ରି ଓ ବ୍ୟବହାର କରୁଥିବା ଅଭିଯୋଗରେ ସେମିଳିଗୁଡ଼ା ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ନିଶା ଇଞ୍ଜେକ୍ସନ୍, କାର୍, ମୋବାଇଲ୍ ଓ ନଗଦ ଟଙ୍କା ଜବତ କରିଛି। ଶନିବାର ସୁନାବେଡ଼ା ଏସ୍‌ଡିପିଓ ସୁମିତ୍ରା ଜେନା ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

କୋରାପୁଟ,୧/୮(ଓ-ଖବର)- କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଅଞ୍ଚଳରେ ବେଆଇନ ଭାବେ ନିଶା ଇଞ୍ଜେକ୍ସନ ବିକ୍ରି ଓ ବ୍ୟବହାର କରୁଥିବା ଅଭିଯୋଗରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ନିଶା ଇଞ୍ଜେକ୍ସନ୍, କାର୍, ମୋବାଇଲ୍ ଓ ନଗଦ ଟଙ୍କା ଜବତ ହୋଇଛି। ଶନିବାର ସୁନାବେଡ଼ା ଏସ୍‌ଡିପିଓ ସୁମିତ୍ରା ଜେନା ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ପୋଲିସ ସୂଚନା ମୁତାବକ, ଗତ ଜୁଲାଇ ୩୧ ତାରିଖ ଅପରାହ୍ନ ପ୍ରାୟ ୧ଟା ୧୦ ମିନିଟ୍ ସମୟରେ ସେମିଳିଗୁଡ଼ା ଗେରୁଗୁଡ଼ା ସ୍ଥିତ ଭୈରବୀ ମନ୍ଦିର ନିକଟରେ କିଛି ବ୍ୟକ୍ତି ନିଶା ଇଞ୍ଜେକ୍ସନ କାରବାର କରୁଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ସେମିଳିଗୁଡ଼ା ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ପ୍ରଫୁଲ୍ଲ କୁମାର ପାତ୍ର ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ଅଚାନକ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ।

ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ସର୍ବମୋଟ ୪୫୩ଟି ନିଶା ଇଞ୍ଜେକ୍ସନ୍ ଆମ୍ପୁଲ୍ ଜବତ କରିଛି; ଯାହା ମଧ୍ୟରେ ୩୦୨ଟି ପେଣ୍ଟାଜୋସିନ୍ ଏବଂ ୧୫୧ଟି ଟ୍ରାମାଡୋଲ୍ ଇଞ୍ଜେକ୍ସନ୍ ରହିଛି ଓ ଏହାର ମୋଟ ଓଜନ ପ୍ରାୟ ୬୦୪ ଗ୍ରାମ୍। ଏଥିସହ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଗୋଟିଏ ଟ୍ରାଇବର୍ କାର୍ (ନଂ. OD10AB0834), ୪ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୭ ହଜାର ୫ ଶହ ଟଙ୍କା ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ନନ୍ଦପୁର ପାଡୁଆ ଅଞ୍ଚଳର ବିକ୍ରମଦେବ ହାଲଙ୍ଗ (୩୯), ସେମିଳିଗୁଡ଼ା ନେହେରୁ ନଗରର ଡି. ୱିଲସନ୍ (୨୩), ସେମିଳିଗୁଡ଼ା ଓସିସି ନଗରର ସୌମ୍ୟରଞ୍ଜନ ରାଉତ (୩୨) ଏବଂ ମୂଳତଃ ପୁରୀ ଜିଲ୍ଲାର ଓ ବର୍ତ୍ତମାନ ଓସିସି ନଗରରେ ରହୁଥିବା ସିଦ୍ଧାନ୍ତ ମିଶ୍ର (୩୪)। ଏନେଇ ସେମିଳିଗୁଡ଼ା ଥାନା କେସ୍ ନଂ ୧୨୩/୨୬ରେ ଏକ ମାମଲା ରୁଜୁ କରାଯିବା ସହ ଏନ୍‌ଡିପିଏସ୍ ଆକ୍ଟ ଅଧୀନରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଅଞ୍ଚଳରେ ନିଶା କାରବାର ରୋକିବାକୁ ପୋଲିସ ପକ୍ଷରୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଏସ୍‌ଡିପିଓ କହିଛନ୍ତି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ